ସତରେ ବୈରାଗୀ
“ବୈରାଗୀ ଜେନାଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକ” ଉପଲକ୍ଷେ
ପ୍ରଦୀପ ସେନାପତି
ନିଳମଣି ରାଉତରାୟ ମନ୍ତ୍ରୀ ଥିଲାବେଳେ ଯେବେ ଚାନ୍ଦବାଲି ଟୁରରେ ଯାଆନ୍ତି, ପିରାହାଟ ବାମନବିନ୍ଧାର ଗୋଟିଏ ଘୋଷରା ପାଖରେ ଥିବା ଗଛ ଉପରେ ଚଢି ମାଇକରେ ଜଣେ କିଏ ସବୁଥର “କିଳା ପୋତିଆ ମନ୍ତ୍ରୀ- ଫେରିଯାଅ ଫେରିଯାଅ” ପାଟି କରୁଥିବାର ଶୁଣନ୍ତି ।ଦିନେ ଗାଡ଼ି ରଖି ପଚାରିଲେ ‘ଏ ପିଲା କିଏ’? ଲୋକ କହିଲେ ଏ ପିଲା ଘର ଏଇ ବାମନବିନ୍ଧା ହରିଜନ ସାହିରେ । ତା ନା ବୈରାଗୀ । ଏଠି ସବୁବେଳେ ସଭା ସମିତି କରି ମହାଜନ, ଜମିଦାରଙ୍କ ବିରୁଦ୍ଧରେ ଲୋକମାନଙ୍କୁ ମତାଉଛି । ଭଦ୍ରକ କଲେଜରେ ପଢୁଥିଲା, ସେଠି ଗଣ୍ଡଗୋଳ କରି ପାଠ ଛାଡ଼ି ଏଠି କାହାରିକୁ ଶାନ୍ତିରେ ରଖେଇ ଦେଲାନାହିଁ ।ନିଳମଣି ରାଉତରାୟ ତାଙ୍କୁ ପାଖକୁ ଡାକିଲେ । ସାହସର ସହିତ ତାଙ୍କ ପାଖକୁ ଆସିଲେ, ତାଙ୍କୁ ପଚାରିଲେ, “ତୁମେ କାହିଁକି ଏଠି ଏମିତି ପାଟି କରୁଛ”? ନିର୍ଭୟରେ ବୈରାଗୀ ଜେନା କହିଲେ, “ଆପଣ ତ ମନ୍ତ୍ରୀ”, ସବୁ ମନ୍ତ୍ରୀ କିଳା ପୋତିଆ ବଡ଼ ଲୋକଙ୍କର । ଗରିବ ସବୁଦିନେ ଗରିବ । ମୁଁ କ’ଣ ଜାଣିନାହିଁ, ଆପଣ ଏଠାକୁ ସଇତାନ ଜମିଦାର ମାନଙ୍କୁ ସାହାଯ୍ୟ କରିବାକୁ ଆସନ୍ତି ।”ନିଳମଣି ବାବୁ ତାଙ୍କୁ କହିଲେ, ମୋତେ ଭଦ୍ରକରେ ଦେଖାକର । ଯାହା ଅସୁବିଧା ମୋତେ କୁହ, ଦେଖିବା କିଛି ଗୋଟେ ପ୍ରତିକାର କରିବା । ସେ ମୁହଁ ଛିଞ୍ଚାଡ଼ି କହିଲେ “ଆପଣଙ୍କ ଦ୍ୱାରା କିଛି ହେବନାହିଁ” । ପୁଣିଥରେ ତାଙ୍କୁ (ବୈରାଗୀ ଜେନା)ଙ୍କୁ ବୁଝାଇଲେ ଓ ମୋତେ ଏକୁଟିଆ ସାକ୍ଷାତ କରି ସବୁକଥା କହିବା ପାଇଁ କହିଲେ? ବହୁ ବାଧ୍ୟବାଧକତାରେ ବୈରାଗୀ ଜେନା ରାଜି ହେଲେ ।
ପୁଣି ଥରେ ନିଳମଣି ରାଉତରାୟ ଚମ୍ପୁଆ ଟୁର୍ରେ ଯାଇ ଥାଆନ୍ତି । ସେଠି ଆସି ତାଙ୍କ ଗାଡ଼ି ସାମ୍ନାରେ ଠିଆହୋଇ ଗାଡ଼ି ଅଟକାଇଲେ । ଲୋକମାନେ କହିଲେ, ୟାଙ୍କର ଘର ଭଦ୍ରକରେ ଆଜ୍ଞା, ଏଠି ୟୁନିୟନ କରି ବହୁତ ହଇରାଣ କରୁଛି । ଆପଣ ନିଜେ ଦେଖୁଛନ୍ତି ତ?ବୈରାଗୀ ଜେନାଙ୍କୁ ପାଖକୁ ଡାକି କହିଲେ, ତୁମ ଘର ବାମନବିନ୍ଧା ପରା? ତୁମକୁ କହିଥିଲି ମୋତେ ସାକ୍ଷାତ୍ କରିବାକୁ, ଗଲ ନାହିଁ କାହିଁକି? ଟିକିଏ ଦବିଗଲା ପରି କହିଲେ, “ମୁଁ କାଲି ଆପଣଙ୍କୁ ସାକ୍ଷାତ୍ କରିବି” । ସାକ୍ଷାତ କଲେ, ନିଳମଣି ବାବୁ ତାଙ୍କୁ କମ୍ୟୁନିଷ୍ଟ ଛାଡ଼ି କଂଗ୍ରେସରେ ମିଶିବାକୁ କହିଲେ ଓ ସେହିଦିନ ଠାରୁ ସେ କଂଗ୍ରେସରେ ମିଶିଲେ ।୧୯୬୧ରେ ବୈରାଗୀ ଜେନାଙ୍କୁ ତିହିଡ଼ି ଚାନ୍ଦବାଲିରୁ କଂଗ୍ରେସ ଟିକେଟ ଦିଆଗଲା ଓ ସେ ମଧ୍ୟ ଜିତିଲେ । ସେହିଦିନ ଠାରୁ ସେ ସବୁ କ୍ଷେତ୍ରରେ ନିଳମଣି ବାବୁଙ୍କୁ ସାହାଯ୍ୟ କରିଆସୁଥିଲେ । ନିଳମଣି ବାବୁ ମଧ୍ୟ ବୈରାଗୀ ଜେନାଙ୍କୁ ଖୁବ୍ ଭଲ ପାଉଥିଲେ । ୧୯୭୪ ମସିହାରେ ସେତେବେଳେର ଚାନ୍ଦବାଲି ବିଧାୟକ ଗଙ୍ଗାଧର ଦାସ ନିଳମଣି ରାଉତରାୟଙ୍କ ସହିତ କଂଗ୍ରେସ ଛାଡ଼ିଲେ । ନିଳମଣି ବାବୁ ଗଙ୍ଗାଧରଙ୍କୁ ତିହିଡ଼ିରୁ ପ୍ରଗତିଦଳ ଟିକେଟ ଦେବାକୁ ଜବାବ ଦେଇଥିଲେ । ଗଙ୍ଗାଧରଙ୍କୁ ସମର୍ଥନ କରି ନିଳମଣି ରାଉତରାୟଙ୍କ ଜବାବ ରକ୍ଷା କରିବାକୁ ଯାଇ ବୈରାଗୀ ଜେନା ୧୯୭୪ରେ ନିର୍ବାଚନ ନ ଲଢିବାକୁ ସିଦ୍ଧାନ୍ତ କଲେ ବୈରାଗୀ ଜେନା । ତେବେ ରାଜନୀତିରେ ଏମିତି ଶୃଙ୍ଖଳିତ କର୍ମୀ ବା ନେତା ମୁଁ ଖୁବ୍ କମ୍ ଦେଖିଛି ବୋଲି ନିଳମଣି ବାବୁ ଭାବ ବିହ୍ୱଳ ହୋଇ ବୈରାଗୀ ଜେନାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ କହି ପକାଇଥିଲେ ।


