ସତ୍ତା ହରାଇବାକୁ ବସିଲାଣି ସୁନା ନଦୀ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳର ଥିବା ବିଭିନ୍ନ ଖଣି ଗୁଡିକରେ ଖଣି ଖନନ ହେତୁ ଏଠାରେ ଥିବା ବିଭିନ୍ନ ନଦୀ, ନାଳ ପ୍ରଭାବିତ ହେଉଛି । ବ୍ୟାପକ ପରିମାଣରେ ଖଣିଜ ଉତ୍ତୋଳନ ନିକଟସ୍ଥ ନଦୀ, ନାଳ, ପଷ୍କରିଣୀ କ୍ରମଶଃ ନିଜନିଜର ସତ୍ତା ହରାଇବାକୁ ବସିଲେଣି । ଯୋଡା ଅଂଚଳର ଲାଇଫଲାଇନ ବା ଜୀବନରେଖା କୁହାଯାଉଥିବା ସୁନା ନଦୀ ମଧ୍ୟ ଦିନକୁ ଦିନ ପୋତି ହେବାରେ ଲାଗିଛି । ଗୋଟିଏ ପଟେ ସରକାର ଖଣି ଖନନ କରି ରାଜ୍ୟକୁ ସମୃଦ୍ଧ କରିବାରେ ଲାଗିପଡିଥିବା ବେଳେ ଯୋଡା ଅଂଚଳର ପ୍ରାକୃତିକ ପରିବେଶ ଉପରେ ଯେଉଁ ପ୍ରଭାବ ପଡୁଛି ତାହା ଉପରେ ସରକାରଙ୍କର ନଜର ନାହିଁ । ଖଣିଜ ଉତ୍ତୋଳନ ଯୋଗୁଁ ସୁନା ନଦୀ ଅଧିକ ପରିମାଣରେ ପ୍ରଦୁଷିତ ହୋଇ କ୍ରମଶଃ ସଂକୁଚିତ ହେବାରେ ଲାଗିଛି । କାରଣ ସୁନା ନଦୀ ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକ ପାଟୁରି ପାଟମୁଣ୍ଡା ଠାରୁ ବାହାରି ମାଲଦା ଅଂଚଳରେ ଥିବା ଟାଟା କମ୍ପାନିର ୯ ଏବଂ ୧୦ ନମ୍ବର ଖଣି ନିକଟ ଦେଇ ଯୋଡା ସହରର ବିଛାକୁଣ୍ଡି, କେମ୍ପହାଟିଂ, ବାରହାଟିଂ ପ୍ରଭୃତି ଜନବସତି ଅଂଚଳ ଦେଇ ପ୍ରବାହିତ ହେଉଛି । ଉକ୍ତ ଖଣିର ବର୍ଜ୍ୟବସ୍ତୁ ଧିରେଧିରେ ନଦୀରେ ମିଶୁଥିବାରୁ ସୁନା ନଦୀର ଜଳ ପ୍ରବାହ କମିଯାଉଛି ଏବଂ ଏହା ସଙ୍କୁଚିତ ହେବାରେ ଲାଗିଛି । ସେହିପରି ଏହି ସୁନା ନଦୀ ଅବବାହିକାରେ ଥିବା ଓଏମଡିସି ରୋଇଡା ଖଣିର ଖଣିଜ ଉତ୍ତୋଳନ ହେତୁ ସୁନା ନଦୀ ନିଜର ସତ୍ତା ହରାଇବାକୁ ବସିଲାଣି । ନିକଟରେ ଥିବା ଖଣି ଗୁଡିକର ସୁରକ୍ଷା ଓ ପୁନଃରୁଦ୍ଧାର ପ୍ରତି ଦୃଷ୍ଟି ଦେଉନଥିବାରୁ ଅଂଚଳରେ ଥିବା ନଦୀ ଗୁଡିକ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ସୁନା ନଦୀର ସୁରକ୍ଷା ଉପରେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ କହିଛନ୍ତି ଯେ, ସେ ବିଧାୟକ ଥିଲାବେଳେ ସୁନା ନଦୀର ପୁନଃଉଦ୍ଧାର ପାଇଁ ଚାରି କୋଟି ଟଙ୍କା ବ୍ୟୟ ଅଟ୍ଟକଳର ଏକ ପ୍ରସ୍ଥାବ ରଖିଥିଲେ । ମାତ୍ର ତାହା ପରବର୍ତୀ ସମୟରେ କାର୍ଯ୍ୟକାରୀ ହେଲାନାହିଁ । ଏହି ସୁନା ନଦୀର ପୁନଃଉଦ୍ଧାର କରିବାକୁ ହେଲେ ସୁନା ନଦୀରେ ବିଭିନ୍ନ ଖଣିର ମାଟି ଓ ବର୍ଜ୍ୟବସ୍ତୁକୁ ବାହାର କରିବାକୁ ପଡିବ । ଏହାର ସଯ୍ୟାକୁ ଗଭୀରତା ପର୍ଯ୍ୟନ୍ତ ଖଳା ନଗଲେ ଜଳସ୍ରୋତ କମି ଭବିଶ୍ୟତରେ ଯୋଡା ବାସୀ ଜଳ ସଙ୍କଟର ଶିକାର ହେବେ ବୋଲି କହିଥିଲେ । ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି ଯେ, ଯୋଡାର ଜୀବନରେଖା କୁହାଯାଉଥିବା ସୁନା ନଦୀ କେତେକ ଖଣି କମ୍ପାନି ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେଉଛି । ଏହି ସୁନା ନଦୀ ଯୋଗୁଁ ଯୋଡା ଏକ ସହର ଭାବେ ପରିଗଣିତ ହୋଇଛି । କାରଣ ଏଥିପାଇଁ ଯୋଡାର ଜନବସତି ପୁର୍ବ ଅପେକ୍ଷା ବହୁ ମାତ୍ରାରେ ବଢିଚାଲିଛି । ଏ ସୁନାନଦୀ ଉପରେ ପ୍ରାୟ ସହରାଂଚଳର ଶତକଡା ୭୦ ପ୍ରତିଶତ ନିର୍ଭରଶୀଳ । ପୂର୍ବରୁ ଏହି ନଦୀର ଜଳ ସ୍ୱଚ୍ଛ ଓ ନିର୍ମଳ ଥିଲା, ମାତ୍ର ବର୍ତମାନ ଖଣି ଓ ଶିଳ୍ପ ବୃଦ୍ଧି ହେତୁ ଏହା ପ୍ରଦୂଷିତ ହେବାରେ ଲାଗିଛି । ସହରରେ ଥିବା ଏକ ଖଣି କମ୍ପାନିର ଡ୍ରେନ ଗୁଡିକରୁ ଦୂଷିତ ଜଳ ସିଧାସଳଖ ସୁନା ନଦୀରେ ମିଶି ଜଳକୁ ପ୍ରଦୂଷିତ କରୁଛି । ଉପର ମୁଣ୍ଡରେ ଥିବା ଖଣି କମ୍ପାନି ମାନଙ୍କର ଖଣିଜ ଖନନ ହେତୁ ମାଟି ଓ ବର୍ଜ୍ୟବସ୍ତୁ ପଡି ନଦୀକୁ ସଂକୁଚିତ କରିବା ସହିତ ଏହାର ଜଳକୁ ଦୂଷିତ କରୁଛି । ସୁନା ନଦୀର ସୁରକ୍ଷା ଯୋଡା ବାସୀଙ୍କ ସୁରକ୍ଷା, ଏଣୁ ଏହାର ସୁରକ୍ଷା ଦିଗରେ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି କହିବା ସହିତ ଆଗାମୀ ଦିନରେ ସୁନା ନଦୀକୁ ବଂଚାଇବାପାଇଁ ଯୋଡା ବିକାଶ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ । ସୁନା ନଦୀର ଶଯ୍ୟା ଯେହେତୁ ଖଣିର ବର୍ଜ୍ୟବସ୍ତୁ ହେତୁ ପୋତି ହୋଇପଡିଛି । ଫଳରେ ଏହାର ଜଳସ୍ରୋତ କମୁଛି । ଏହା ଆଗାମୀ ଦିନରେ ଓଡିଶାର ଦି୍ୱତୀୟ ବୃହତ୍ତମ ନଦୀ ବନ୍ଧ ଯୋଜନା କାନପୁରକୁ ପ୍ରଭାବିତ କରିବ । ଭବିଷ୍ୟତରେ କାନପୁର ଡ୍ୟାମର ବ୍ୟାକୱାଟର ଜଳ ସୁନା ନଦୀରେ କୁତ୍ରିମ ବନ୍ୟା ମଧ୍ୟ ସୃଷ୍ଟି କରିବ । ଏଣୁ ସରକାର ନଦୀ ଶଯ୍ୟାକୁ ପୁନଃରୁଦ୍ଧାର ନକଲେ ସୁନା ନଦୀ ନିଜର ସତ୍ତା ହରାଇବା ସହ ଜଳସ୍ରୋତ କମିବାର ଆଶଙ୍କା ଯଥେଷ୍ଟ ରହିଛି ।