ସତ୍ୟନାରାୟଣ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ନିକଟସ୍ଥ ପଲ୍ଲିଛକ ବାଲିଆ ଗ୍ରାମସ୍ଥିତ ସତ୍ୟନାରାୟଣ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ଼ଃ ସୁରେଶ ଚନ୍ଦ୍ର ଦଳାଇ ଯୋଗ ଦେଇଥିଲେ।ପୁରାତନ ଛାତ୍ର ସଂସଦ ସଭାପତି ବିକ୍ରମ କୁମାର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ର ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ମିନକେତନ ମହାନ୍ତି,ବଉଲାଙ୍ଗ ପଞ୍ଚାୟତ ର ସରପଞ୍ଚ ନରହରି ଦଳାଇ, ପଞ୍ଚାୟତ ସମିତି ସଭ୍ୟ ବନିତା ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଆଜିର ସମାଜରେ ଜଣେ ଜଣେ ଭଲ ସୁନାଗରିକ ଭାବେ ନିଜକୁ ଗଢି ତୋଳିବା ସହିତ ସମାଜ ଲାଗି ଭଲ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଛାତ୍ର ଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ , ସାମାଜିକ କର୍ମୀ ମାନଙ୍କୁ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗୋପ ବ୍ଲକ ବଉଲାଙ୍ଗ ପଞ୍ଚାୟତ ର ତରଙ୍ଗ କ୍କବ ଉକ୍ତ ବିଦ୍ୟାଳୟ କୁ ୧୬୦୮ ଖଣ୍ତ ବିଭିନ୍ନ ପୁସ୍ତକ ପ୍ରଦାନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ଉକ୍ତ କ୍ଲବ କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ ଶିକ୍ଷାବିତ ତଥା ଗୋପ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନ ସଂଧ୍ୟା ରେ ପାରମ୍ପରିକ ଯୋଡ଼ି ଶଙ୍ଖ ବାଦନ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତିନି ଦିନ ଧରି ଚାଲିଥିବା ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଲୋକମାନେ ଖୁବ୍ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଘୋଷକ ପ୍ରତାପ ରାଉତ ସଂଯୋଜନା କରିଥିବାବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।


