ସତ୍ୟ ମହିମା ଅଲେଖ ଧର୍ମର ଧୂନୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଜେଲ ପାର୍ଶ୍ବରେ ଥିବା ଇନ୍ଦିରାଆବାସ କଲୋନୀରେ ନିର୍ମିତ ସତ୍ୟ ମହିମା ଅଲେଖ ଧର୍ମର ଏକ ଧୂନୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୂଖ୍ୟତଃ ଓଡିଶା ଓ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଚଳିତ ଏହି ସାମାଜିକ ଧର୍ମଧାରା ବିଶ୍ବର କନିଷ୍ଠତମ ଧର୍ମ ଭାବେ ପରିଚିତ। ମୂର୍ତ୍ତିପୂଜାର ବିରୋଧି ଏହି ଧର୍ମାବଲମ୍ବୀମାନଙ୍କ ଦ୍ବାରା ନିରାକାର ବ୍ରହ୍ମଙ୍କ ପୂଜା କରାଯାଏ ଓ ଏଥିରେ ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ ଦେଖିବାକୁ ମିଳିଥାଏ । ଉନବିଂଶ ଶତାବ୍ଦୀରେ ଏହା ଏକ ଧର୍ମୀୟ ସଂସ୍ଥାର ସ୍ଥାପନା ଅପେକ୍ଷା ଓଡିଆଙ୍କ ମୌଳିକ ବିଚାର ଧାରା ବହନ କରୁଥିବା ଏକ ସାଂସ୍କୃତିକ ଭାବଧାରା ଭାବେ ଧୂଳିଆ ବାବାଙ୍କ ଦ୍ବାରା ପ୍ରଣୀତ ହୋଇ ସନ୍ଥ କବି ଭୀମ ଭୋଇଙ୍କ ଗୀତିକବିତା ଦ୍ବାରା ପ୍ରସିଦ୍ଧି ଲାଭ କରିଥିଲା। ଏଣୁ ଏଥିରେ ଓଡିଆଙ୍କ ମୌଳିକ ପୂଜା “ସୂର୍ଯ୍ୟପୂଜା” କୁ ସାଙ୍କେତିକ ଭାବେ ନିରାକାର “ଅଲେଖ” ଭାବେ ଗ୍ରହଣ କରାଯାଇଛି। ଛତ୍ରପୁର ଅଲେଖ ଧର୍ମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ କୋରାପୁଟର ଅବଧୂତ କପିଳେନ୍ଦ୍ର ବାବା, ବ୍ରହ୍ମପୁର ଖୋଡାସିଙ୍ଗିର ଅବଧୂତ ଜୟରାମ ବାବା, ଛତିଶଗଡ଼ର ଅବଧୂତ ବାସୁଦେବ ବାବା,ଗୁରୁଣ୍ଠିର ଅବଧୂତ ପ୍ରଭାସ ଚନ୍ଦ୍ର ବାବା ଓ ଅବଧୂତ ସୀତାରାମ ବାବା ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ସମାପନ କରିଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅଲେଖ ଧର୍ମାବଲମ୍ବୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ ଓ ପ୍ରସାଦ ସେବନରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ