ସଦର ବିଧାୟକ ମାନସ କୁମାର ଦତ୍ତଙ୍କ କଷାଫଳ, ସାର୍ଥା, ପାଞ୍ଚପଡା ପଂଚାୟତର ବିଭିନ୍ନ ବାତ୍ୟାଶ୍ରୟ ପରିଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ‘ଦାନା’କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପାଇଁ ଜାରି ହୋଇଛି ରେଡ ଆଲର୍ଟ । ଏଥିରେ ଜିରୋ କାଜୁଆଲଟି କ୍ଷୟକ୍ଷତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ତେବେ ବାତ୍ୟାରେ ପାଇଁ ସଦର ବ୍ଲକର ୩୭ଟି ପଂଚାୟତ ମଧ୍ୟରୁ ୨୩ଟି ପଂଚାୟତ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ସମ୍ପର୍କୀତ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଅନୁଧ୍ୟାନ ପାଇଁ ଲଗାଣ ବର୍ଷା ଓ ପବନ ସତ୍ତ୍ୱେ ସଦର ବିଧାୟକ ମାନସ କୁମାର ଦତ୍ତ ଦିନତମାମ ସାମ୍ଭାବ୍ୟ ପ୍ରଭାବିତ ଅଂଚଳ ପରିଦର୍ଶନ ସହ ଲୋକଙ୍କୁ ସୁରକ୍ଷିତ ରହିବା ନେଇ ପରାମର୍ଶ ଦେଇଛନ୍ତି । ଏହା ସହିତ ସବୁ ପ୍ରକାର ପରିସ୍ଥିତି ପାଇଁ ସରକାର ଲୋକଙ୍କ ସହାୟତା ପାଇଁ ସଜାଗ ରହିଥିବା କହିଛନ୍ତି । ଏହି ପରିପେକ୍ଷ୍ରୀରେ ବିଧାୟକ ଶ୍ରୀ ଦତ୍ତ ସଦର ନିର୍ବାଚନ ମଣ୍ଡଳୀର ସମୁଦ୍ର ତଟବର୍ତ୍ତୀ କଷାଫଳ, ସାର୍ଥା, ପାଞ୍ଚପଡା ଅଞ୍ଚଳରେ ପହଂଚି ବାତ୍ୟା ପ୍ରସ୍ତୁତିକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତିନି ବର୍ଷ ତଳେ ‘ୟାସ’ ବାତ୍ୟାରେ ସମ୍ପୃକ୍ତ ଅଂଚଳଗୁିଡକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ସମଦ୍ର ତଟବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ନେବାରେ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ଅଧିକାରୀମାନେ ବିଧାୟକଙ୍କୁ ସୂଚନା ଦେଇଥିଲେ । ବାତ୍ୟାଶ୍ରୟଗୁଡିକରେ ଲୋକଙ୍କ ପାଇଁ ଖାଦ୍ୟ ପେୟ ସହିତ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଶ୍ରୀ ଦତ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ୨୦୨୧ ମସିହାର ‘ୟାସ’ ବାତ୍ୟା ପ୍ରଭାବରେ ସମୁଦ୍ର ଜୁଆର ମାଡି ଆସିବା ଯୋଗୁଁ କଷାଫଳ, ସାର୍ଥା ପଂଚାୟତ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସ୍ଥଳଭାଗକୁ ଲୁଣା ପାଣି ମାଡି ଥିବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେଠାରେ ପାନୀୟ ଜଳର ଅଭାବ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଥିଲା । ତେଣୁ ‘ଦାନା’ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବାରୁ ବିଧାୟକ ଶ୍ରୀ ଦତ୍ତ ସନ୍ତୋଷ ପ୍ରକାଶ କରିଛନ୍ତି । ଆଦୌ ଭୟଭୀତ ନ ହୋଇ ଧୈର୍ଯ୍ୟର ସହିତ ବାତ୍ୟାର ମୁକାବିଲା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ବାତ୍ୟାଶ୍ରୟଗୁଡିକରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ମହଜୁଦ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ ଯୋଗାଯୋଗ, ବିଦ୍ୟୁତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଭଳି ବିଷୟକୁ ସୁବ୍ୟବସ୍ଥିତ କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ଶ୍ରୀ ଦତ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସର୍ବଦା ସଜାଗ ରହିଥିବା ତଥା ସହଯୋଗ ନିମନ୍ତେ ପ୍ରସ୍ତୁତ ଥିବାରୁ ଜନସାଧାରଣଙ୍କୁ ଆଦୌ ଭୟଭୀତ ନହୋଇ ପ୍ରଶାସନ ଦ୍ୱାରା ଜାରି ହେଉଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ବିଧାୟକ ଶ୍ରୀ ଦତ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ