ସନ୍ଥ ମିଳନ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ରବିବାର ଦିନ ଦିବ୍ୟ ଜୀବନ ସଂଘ, ଟିକରପଡ଼ା ଶାଖାର ସହଯୋଗରେ ମିନାକ୍ଷୀ ନଗର ଠାରେ ଶାଖାର ସଭାପତି ରଞ୍ଜିତ୍ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓ ପ୍ରକାଶ ଚନ୍ଦ୍ର ରଥଙ୍କ ସହଯୋଗରେ ଏକ ଦିବସୀୟ ସାଧନା ଦିବସ ସହ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରାତଃ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ, ଗୁରୁପାଦ ପୂଜା, ଅର୍ଚ୍ଚନା, ଓଁ ନମୋ ଶିବାନନ୍ଦାୟ, ଶ୍ରୀସୂକ୍ତମ୍‌, ଶନିଶ୍ଚର ସ୍ତୋତ୍ରମ୍‌, ଗୀତା ପାଠ ସହ ଶିବାନନ୍ଦ ଚିଦାନନ୍ଦ ବାଣୀକୁ ସ୍ୱାମୀଜୀମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସ୍ୱାମୀ ଶିବାନନ୍ଦ ହେଉଛନ୍ତି ସାକ୍ଷାତ୍ ଶଙ୍କରଙ୍କର ଅବତାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବଂ ସ୍ୱାମୀ ଚିଦାନନ୍ଦ ଜୀବନ୍‌ମୁକ୍ତ ପୁରୁଷ ଅଟନ୍ତି । ସେମାନେ ଯେଉଁ ପଥ ଆମକୁ ପ୍ରଦର୍ଶନ କରିଛନ୍ତି, ସେହି ପଥର ଅନୁସରଣ କରିବା ଦ୍ୱାରା ସାଧକର ନିଶ୍ଚିତ ଜୀବନରେ ପରିବର୍ତ୍ତନ ଆସିଥାଏ । ସ୍ୱାମୀଜୀ କୁହନ୍ତି – ମାନବ ସେବା ହିଁ ମାଧବ ସେବା ଅଟେ । ଭଲ ହୁଅ, ଭଲ କର । ଯାହା ତୁମେ ନୁହଁ, ତାହା ତୁମେ କୁହ ନାହିଁ । ନିର୍ମଲ ମନ ଜନ ସୋ ମହୀ ପାୱା, ମୋହି କପଟ ଛଲ ଛିଦ୍ର ନ ଭାୱା । ଗୋସ୍ୱାମୀ ତୁଳସୀ ଶ୍ରୀରାମ ଚରିତ ମାନସରେ ଲେଖିଛନ୍ତି – ନିର୍ମଳ ମନ ଜନଙ୍କୁ ମୁଁ ପାଇବି, ମୋ ଠାରେ ମଧ୍ୟ ଛନ୍ଦ ମନ୍ଦ, କୁଟ କପଟ କିଛି ନଥାଏ, କିନ୍ତୁ ଆଜି କାଲି ସମସ୍ତେ ମୁହଁରେ ହସ ଓ ପେଟରେ ବିଷ ରଖିଥାନ୍ତି । ସେହିଭଳି ଲୋକଙ୍କ ଠାରୁ ଦୂରରେ ରହିବା ନିହାତି ଆବଶ୍ୟକ । କୌଣସି ବ୍ୟକ୍ତି ବିଶେଷଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ନୁହେଁ । କେବଳ ପରମପିତା ପରମାତ୍ମା ଓ ନିଜ ଗୁରୁଙ୍କୁ ଗୁରୁତ୍ୱ ଦେବା ସହ କେନ୍ଦ୍ରରେ ରଖି ନିଜ ଜୀବନରେ ଯେ କୌଣସି କାର୍ଯ୍ୟ କରିବେ, ତାହା ସଫଳ ହେବା ସହ ଈଶ୍ୱର ସାକ୍ଷାକ୍ରାର ପ୍ରାପ୍ତ ହୋଇଥାଏ ବୋଲି ସ୍ୱାମୀଜୀମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ରାମକୃପାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଓମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ ଓ ବ୍ରହ୍ମଚାରୀ ରାମପ୍ରିୟା ଚୈତନ୍ୟ ଯୋଗଦାନ କରିଥିଲେ । ବରିଷ୍ଠ ଗୁରୁଭାଇ ଅରୁଣ କୁମାର ରଥ, ବ୍ରଜ କିଶୋର ପଟ୍ଟନାୟକ, ସିମାଞ୍ଚଳ ପଣ୍ଡା, ଉମା ଚରଣ ମହାନ୍ତି, ଅମର, ସୀତାରାମ, ସନାତନ, ସଂକେତ, ସୁନୀଲ ମିଶ୍ର, ଶାନ୍ତି ଭୂଷଣ ପଣ୍ଡା, ସଚ୍ଚିତା ରାଣୀ କର, କ୍ଷେତ୍ରମୋହନ ବେହେରା, ଜାନଭୀ ବେହେରାଙ୍କ ସମେତ ଶତାଧିକ ଗୁରୁଭାଇ ଗୁରୁ ଭଉଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଆଖପାଖ ଦିବ୍ୟ ଜୀବନ ସଂଘ ଶାଖାର ବଡ଼ିଆଉସ୍ତା, ରୋହିଗାଁ, ଟିକରପଡ଼ା,ଲାଞ୍ଜିପଲ୍ଲି ମହିଳା ଶାଖା, ଆଙ୍କୁଲି ଶାଖା, ବଡ଼ଗଡ଼ ଶାଖା, ବ୍ରହ୍ମପୁର ଶାଖାର ଅନେକ ଗୁରୁଭାଇମାନେ ଯୋଗଦାନ କରିଥିଲେ । ପରିଶେଷରେ ରଞ୍ଜିତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ