ସପ୍ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର ):ଶୁକ୍ରବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ୭ମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ନିପୁଣ ଓଡିଶା ଅଭିଯାନ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଅଧ୍ୟକ୍ଷତା କରିଥିବା ବେଳେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ସାଂସଦ, ବାଲେଶ୍ୱର ଲୋକସଭା, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ମୟୂରଭଞ୍ଜ ଲୋକସଭା, ଶ୍ରୀଯୁକ୍ତ ନବ ଚରଣ ମାଝୀ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ବାରିପଦା, ଶ୍ରଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ବିଧାୟକ, ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା, ମାନ୍ୟବର ବିଧାୟକ, କରଞ୍ଜିଆ, ଶ୍ରୀଯୁକ୍ତ ପଦ୍ମ ଚରଣ ହାଇବୁରୁ, ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ନାଏକ, ମାନ୍ୟବର, ବିଧାୟିକା, ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳୀ ମୂର୍ମୁ ଏବଂ ମୟୂରଭଞ୍ଜର ସମସ୍ତ ଜୋନର ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସ୍ୱାଗତ ଭାଷଣ ଦେବା ସହ ସମସ୍ତ ବିଭାଗ ଯଥା ପୂର୍ତ୍ତ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣର ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଜିଲ୍ଲା ସ୍ତରରେ ହୋଇଥିବା କାର୍ଯ୍ୟମାନ ବିଷୟରେ ବିଶଦ ବିବରଣୀ ଦେଇଥିଲେ। ପୂର୍ତ୍ତ ବିଭାଗର ନିର୍ମାଣାଧୀନ ଏବଂ ଆଗାମୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କଣ କଣ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଅଧିକ୍ଷଣ ଯନ୍ତ୍ରୀ ଆଲୋକପାତ କରିଥିବା ବେଳେ ଶିକ୍ଷା ବିଭାଗ ଦ୍ୱାରା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ କଣ କଣ ନୂତନ ପଦକ୍ଷେପ ନିଆ ଯାଉଛି ସେ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧୁସିତ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି କିଭଳି ଉନ୍ନତ କରାଯିବ, ବିଦ୍ୟାଳୟକୁ କିପରି ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଆସିବେ, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବକୁ କିଭଳି ପୂରଣ କରାଯିବ, ସେ ବାବଦରେ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଜିଲ୍ଲଲପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ମତ ପୋଷଣ କରିଥିଲେ ଏବଂ ଆଗାମୀ ସମୟରେ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାଲକୁ ତ୍ୱରାନ୍ୱିତ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥଲା।
ଏଥିସହିତ ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ସମସ୍ତ ପ୍ରକଳ୍ପ ଏବଂ ତତସଂଲଗ୍ନ ସମସ୍ତ ତଥ୍ୟ ଏବଂ ଜିଲ୍ଲାର ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ତୃଣମୂଳସ୍ତରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ମତ ଉପସ୍ଥାପନା କରିଥିଲେ ଓ ଅଧିକାରୀ ମାନେ ମଧ୍ୟ ଏହାର ଯଥୋଚିତ ଉତ୍ତର ପ୍ରଦାନ କରିଥିଲେ। ସେହି ଭଳି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ତଥ୍ୟ ପ୍ରଦାନ କରିବା ସହିତ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଖୁବ ଶୀଘ୍ର ନୂଆ ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫଙ୍କ ନିଯୁକ୍ତି କରାଯାଇ ଆବଶ୍ୟକୀୟ ଚିକିତ୍ସାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୁରଣ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିସହିତ ବନ ବିଭାଗ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଭଳି ଅନ୍ୟାନ୍ୟ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ସଭାରେ ଆଲୋଚନା କରାଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବୀ, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କଠାରୁ ପ୍ରତିଶୃତି ହାସଲ କରିଥିଲେ । ସଭାରେ ପଚରାଯାଇଥିବା ସମସ୍ତ ଯୁକ୍ତିଙ୍କୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ ପ୍ରତିଶୃତି ଦେଇ ଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ସମସ୍ୟା ଗୁଡ଼ିକ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ