ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଜୋର୍ଦାର୍
ନୂଆଦିଲ୍ଲୀ(ଏଜେନ୍ସି): ୬ଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହେବା ସଙ୍ଗେ ସଙ୍ଗେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ୍ ହୋଇଉଠିଛି । ଏହି ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖ ଦିନ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ କରାଯିବ । ଉତ୍ତରପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ ଲୋକସଭା ଆସନ, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଆସନ, ଝାଡ଼ଖଣ୍ଡର ୩ଟି ଆସନ ଓ ଚଣ୍ଡୀଗଡ଼ର ଏକମାତ୍ର ଲୋକସଭା ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ । ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ତଥା ତାରକା ପ୍ରଚାରକମାନେ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାମାନ ଆୟୋଜନ କରି ନିଜ ନିଜ ଦଳ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।


