ସପ୍ତରଙ୍ଗ ଉତ୍ସବ ଓ ମୃଦୁଗୁଞ୍ଜନ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟାନୁଷ୍ଠାନ ‘ମୃଦୁଗୁଞ୍ଜନ’ ତରଫରୁ ସୋମବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ତିନୋଟି ପର୍ଯ୍ୟାୟରେ ‘ସପ୍ତରଙ୍ଗ’ ନୃତ୍ୟ ଉତ୍ସବ ଓ ମୃଦୁଗୁଞ୍ଜନ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ ଘଟିକାରେ ଉତ୍ସବର ପ୍ରଥମ ପର୍ଯ୍ୟାୟ ଅଧିବେଶନକୁ ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀଯୁକ୍ତ ନିରଞ୍ଜନ ରାଉତ ଓ ଗୁରୁ ଶ୍ରୀଯୁକ୍ତ ସନାତନ ନାୟକ ଉଦ୍ଘାଟନ କରିଥିଲେ । ମୃଦୁଗୁଞ୍ଜନର ଶିଶୁ କଳାକାରମାନେ ଏହି ପ୍ରାରମ୍ଭିକ ପର୍ଯ୍ୟାୟକୁ ନିଜର ପ୍ରତିଭା ପ୍ରଦର୍ଶନରେ ପ୍ରକମ୍ପିତ କରିଥିଲେ ।
ଅପରାହ୍ନ ଅଧିବେଶନକୁ ଗୀତିକାର ନିଗମାନନ୍ଦ ମିଶ୍ର, ନୁତ୍ୟଗୁରୁ ଶ୍ରୀମତୀ ମମତା ଶତପଥୀ ସୁରେକାର ଓ ନୃତ୍ୟୁଗୁରୁ ବ୍ରଜକିଶୋର ମଲ୍ଲିକ ଉଦ୍ଘାଟନ କରିଥିଲେ । ବିଭିନ୍ନ ନୃତ୍ୟାନୁଷ୍ଠାନମାନଙ୍କରୁ ଆସିଥିବା ଶିଶୁ ଓ କିଶୋରୀ ଶିଳ୍ପୀମାନେ ନିଜର ସୂକ୍ଷ୍ମ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମୁଗ୍ଦ ବିଭୋର କରିଥିଲେ ।
ସନ୍ଧ୍ୟା ଅଧିବେଶନକୁ ମୁଖ୍ୟ ଅତିଥି ବିଧାୟକ ବାବୁ ସିଂ, ନୃତ୍ୟୁଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ, ଶ୍ରୀଯୁକ୍ତ ଏଲ୍.ଏନ୍ ଅଗ୍ରୱାଲ, ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ଡ. ଚନ୍ଦ୍ରଶେଖର ହୋତା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଆରମ୍ଭ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ପାରମ୍ପରିକ ଲୋକକଳା ଚଇତି ଘୋଡ଼ା ନାଚର ଗୁରୁ ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାସ, ଓଡ଼ିଶୀ ନୃତ୍ୟଗୁରୁ ଡ. ମନୋରଞ୍ଜନ ପ୍ରଧାନ, ନାଟ୍ୟଗୁୁରୁ ଶ୍ରୀଯୁକ୍ତ ଲାଲା ବୀରେନ ପ୍ରସାଦ ରାୟ, ଓଡ଼ିଶୀ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ ଓ ମର୍ଦ୍ଦଳ ଗୁରୁ ଶ୍ରୀଯୁକ୍ତ ବିଜୟ କୁମାର ବାରିକଙ୍କୁ ଅନୁଷ୍ଠାନ ତରଫରୁ ‘ମୃଦୁଗୁଞ୍ଜନ’ ସମ୍ମାନ ପ୍ରଦାନ କରାଯାଇଥିଲା ।ସନ୍ଧ୍ୟା ଅଧିବେଶନରେ ରାଜଶ୍ରୀ ପ୍ରହରାଜ ଓ ଗୌରୀଶଙ୍କର ଦାଶ ଏକକ ନୃତ୍ୟ ପରିବେଷଣ କରିଥିଲେ ଦ୍ୱେତ୍ତ ନୃତ୍ୟ ପର୍ଯ୍ୟାୟରେ ବିଶ୍ୱଭୂଷଣ ଚମ୍ପତ୍ତିରାୟ ଓ ଜଗଜ୍ଜିତ ଦାଶ ତାଙ୍କର ଅପୂର୍ବ ନୃତ୍ୟ ପ୍ରଦର୍ଶନରେ ଦର୍ଶକଙ୍କୁ ଚକିତ କରିଥିଲେ । ‘ମୃଦୁଗୁଞ୍ଜନ’ର କଳାକାରମାନେ ଗୁରୁ ଶ୍ରୀମତୀ ରାଜଶ୍ରୀ ମହାପାତ୍ରଙ୍କ ସଂଯୋଜନାରେ ଦଳଗତ ନୃତ୍ୟ ‘ଦେବୀ’ ଓ ପଞ୍ଚଭୂତ ପ୍ରସ୍ତୁତ କରିଥିଲେ । ଗୁରୁ ପତାମ୍ବର ବିଶ୍ୱାଳଙ୍କର ନୃତ୍ୟଶିଳ୍ପୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ମୃଦୁଗୁଞ୍ଜନର କଳାକାରମାନଙ୍କ ସମ୍ବଲପୁରୀ ଲୋକନୃତ୍ୟ ପ୍ରଦର୍ଶନରେ ଦର୍ଶକଙ୍କର ଭବ୍ୟ କରତାଳିରେ ଶେଷ ହୋଇଥିଲା । ଇଂ ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିବା ବେଳେ ମୃଦୁଗୁଞ୍ଜନର ଅଧ୍ୟକ୍ଷା ଡ. ନମିତା କୁମାରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।


