ସଫଳତା ବଖାଣିଲେ ନଡ୍ଡା
ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ମୋଦୀ ସରକାର ଶନିବାର ୨ୟ ପାଳିର ପ୍ରଥମ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ବିଜେପି ରାଷ୍ଟୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଅବତାରଣା କରିଛନ୍ତି । ସେ କହିଛନ୍ତି ଯେ, ମୋଦୀଙ୍କ ନେତୃତ୍ୱରେ ଦେଶ ଆତ୍ମନିର୍ଭର ଭାରତ ଦିଗରେ ଆଗଉଛି । କରୋନା ମୁକାବିଲାରେ ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ସବୁ ବର୍ଗକୁ ଆତ୍ମନିର୍ଭର ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି ଆହ୍ୱାନକୁ ଦେଶବାସୀ ସମର୍ଥନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି ନିଷ୍ପତ୍ତିକୁ ତମାମ ଦେଶବାସୀ ସମ୍ମାନ ଜଣାଇଛନ୍ତି । ସାରା ଦେଶବାସୀ ନିଷ୍ପତ୍ତିକୁ ସମ୍ମାନ ଦେବା ସଫଳ ନେତୃତ୍ୱର ପରିଚୟ । ଜାମ୍ମୁ କାଶ୍ମୀର, ଲଦାଖବାସୀଙ୍କୁ ଆଜି ନ୍ୟାୟ ମିଳିପାରିଛି । ମୋଦୀଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଆଜି ସିଏଏ ଲାଗୁ ହୋଇପାରିଛି ବୋଲି ଜଗତ ପ୍ରକାଶ ନଡ୍ଡା କହିଛନ୍ତି ।
ପୂର୍ବରୁ ୨ୟ ପାଳିର ପ୍ରଥମ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପତ୍ର ଲେଖିଥିଲେ । ସେଥିରେ ଉଲ୍ଲେଖ ଥିଲା ଯେ, ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା । ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିଲେ।
ଏହି ଅଧ୍ୟାୟ ରଚନା କରିବାରେ ଆପଣମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏଭଳି ସ୍ଥିତିରେ ଆଜିର ଏ ଦିନ ଆପଣମାନଙ୍କୁ, ଭାରତ ଓ ଭାରତୀୟ ଗଣତନ୍ତ୍ର ପ୍ରତି ଆପଣମାନଙ୍କ ନିଷ୍ଠାକୁ ପ୍ରଣାମ କରିବା ଲାଗି ମୋ ପାଇଁ ଏକ ଅବସର ଆଣିଛି।
ସାଧାରଣ ପରିସ୍ଥିତି ହୋଇଥିଲେ ମୋତେ ଆପଣମାନଙ୍କ ଗହଣକୁ ଆସି ଆପଣମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥାନ୍ତା। କିନ୍ତୁ ବିଶ୍ୱ ମହାମାରୀ କରୋନା କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେହି ପରିସ୍ଥିତିରେ ମୁଁ ଏହି ପତ୍ର ମାଧ୍ୟମରେ ଆପଣମାନଙ୍କ ଚରଣରେ ପ୍ରଣାମ କରି ଆପଣମାନଙ୍କ ଠାରୁ ଆଶୀର୍ବାଦ ନେବା ଲାଗି ଆସିଛି। ବିଗତ ବର୍ଷ ସାରା ଆପଣମାନଙ୍କ ସ୍ନେହ, ଶୁଭାଶୀଷ ଏବଂ ଆପଣମାନଙ୍କ ସକ୍ରିୟ ସହଯୋଗ ମୋତେ ନିରନ୍ତର ଏକ ନୂଆ ଶକ୍ତି, ପ୍ରେରଣା ପ୍ରଦାନ କରିଥିଲା। ଏହି ଅବସରରେ ଆପଣମାନେ ଗଣତନ୍ତ୍ରର ଯେଉଁ ସାମୂହିକ ଶକ୍ତିର ପ୍ରଦର୍ଶନ କଲେ ତାହା ଆଜି ସାରା ବିଶ୍ୱ ପାଇଁ ଏକ ଉଦାହରଣ ହୋଇପାରିଛି।


