ସବୁ ଦଳର ଟିକେଟ୍‍ ଆଶାୟୀ ରାଜଧାନୀରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ସର୍ବାଧିକ

ବେଲଗୁଣ୍ଠା (ଜୁଗାବ୍ଦ ନ୍ୟୁଜ୍‍): ଆସନ୍ତା ଏପ୍ରିଲ୍‍ ୧୮ରେ ଆସ୍କା ସାଂସଦ କ୍ଷେତ୍ର ଓ ୭ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ପ୍ରଶାସିନକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ଦଳର ଟିକେଟ ଆଶାୟୀ ପ୍ରାର୍ଥୀ ମଧ୍ୟ ନିଜ ସମର୍ଥକଙ୍କୁ ଧରି ରାଜଧାନୀରେ ଡେରା ପକାଇଛନ୍ତି । ତେବେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ଟିକେଟ୍‍କୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ଆଶାୟୀ ପ୍ରାର୍ଥୀଙ୍କୁ ଅଞ୍ଚଳରେ ଦେଖିବାକୁ ମିଳୁନାହିଁ । ଟିକେଟକୁ ନେଇ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବଢ଼ୁଛି ହୃଦସ୍ପନ୍ଦନ । ଶାସକ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ବିଜେପି ଓ କଂଗ୍ରେସର ଦୁଇରୁ ତିନିଜଣ ଲେଖାଏଁ ଆଶାୟୀ ରହିଛନ୍ତି । ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ ପରେ ବେଲଗୁଣ୍ଠା ବ୍ଲକ୍‍ ଓ ଏନ୍‍ଏସି ଭଞ୍ଜନଗରରୁବାଦ୍‍ ପଡ଼ି ସୋରଡ଼ା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଛି । ୨୦୦୯ ଓ ୨୦୧୪ରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦୁଇଥର ବିଜୟ ମୁକୁଟ ପିନ୍ଧି ସାରିଥିବାବେଳେ ଏଥର ହାଟ୍ରିକ୍‍ ଲକ୍ଷ୍ୟରେ ଅଛନ୍ତି । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ବିଜେଡି ଟିକେଟ୍‍ ଦେଇପାରେ ବୋଲି ଚର୍ଚ୍ଚା ଜୋର୍‍ ଧରିଥିବାବଳେ ଜଣେ ନୂଆ ନେତ୍ରୀଙ୍କ ଆବିର୍ଭାବ ସମସ୍ତଙ୍କୁ ଚକିତ କରିଛି । ପୂର୍ବରୁ ବିଜେଡି ଟିକେଟ୍‍ ଦୌଡ଼ରେ ବେଲଗୁଣ୍ଠା ବ୍ଲକ୍‍ ପୂର୍ବତନ ଉପାଧ୍ୟକ୍ଷା ତଥା ବରିଷ୍ଠ ବିଜେଡି ନେତା ରଞ୍ଜନ ଖଣ୍ଡୁଆଳଙ୍କ ଧର୍ମପତ୍ନୀ ରମା ଖଣ୍ଡୁଆଳ ଚର୍ଚ୍ଚାରେ ରହି ଆସିଛନ୍ତି । ବସନ୍ତ ପଞ୍ଚମୀରେ ବିଭିନ୍ନ ଗ୍ରାମରେ ବଡ଼ ବଡ଼ ତୋରଣ ଲଗାଇ ବଡ଼ଗଡ଼ ବିଜୁ ପଟ୍ଟନାୟକ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷା ତଥା ପୂର୍ବତନ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ସ୍ତ୍ରୀ ନମିତା ପଶୁପାଳକ ସୋରଡ଼ା ବିଧାନସଭା ବିଜେଡି ଟିକେଟ ଲବିରେ ନିଜର ସାମିଲ କରିଥିଲେ । ଏହାଛଡ଼ା ବେଲଗୁଣ୍ଠା ବ୍ଲକ୍‍ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ଓ ବିଜେଡି ଗଠନଠାରୁ ବେଲଗୁଣ୍ଠା ବ୍ଲକ୍‍ ବିଜେଡି ସଭାପତି ରହିଆସିଥିବା ପ୍ରଶାନ୍ତ କୁମାର ନାୟକ ନିଜ ସମର୍ଥକଙ୍କ ସହ ଲବିକୁ ଜୋରଦାର କରିଛନ୍ତି । ଏହାବାଦ୍‍ ୧୫ ତାରିଖରେ ହଠାତ୍‍ ଏକ ନୂଆ ନାରୀନେତ୍ରୀଙ୍କ ନାମକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସେ ହେଉଛନ୍ତି ଗୋପାଳପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡଃ ପ୍ରଦୀପ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସୁଜାତା ପତି ଓରଫ ପାଣିଗ୍ରାହୀ । ସୁଜାତାଙ୍କ ଘର ସୋରଡ଼ା ସାରୁଅ ସାହିରେ ହୋଇଥିବାରୁ ଟିକେଟ୍‍ ପାଇବାକୁ ସ୍ୱାମୀଙ୍କ ସାହାଯ୍ୟରେ ଚାପ ପଡ଼ୁଥିବା ଆଲୋଚନା ହେଉଛି । ବେଲଗୁଣ୍ଠା ଅଞ୍ଚଳର କିଛି ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମିଳିତ ଭାବେ ବେଲଗୁଣ୍ଠା ବ୍ଲକ୍‍ ଓ ଏନଏସି ଅଞ୍ଚଳରୁ ବିଜେଡିରୁ ପ୍ରାର୍ଥୀ କରିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଣବ ପ୍ରକାଶ ଦାଶ ଓ ନବୀନ ନିବାସରେ ଦୁଇ ପୃଷ୍ଠ ସମ୍ବଳିତ ଦାବି ଉପସ୍ଥାପନା କରିଥିବା ଜଣାପଡ଼ିଛି । ଏଥିରେ ଉଲ୍ଲେଖ ରହିଛି ଯେ, ବେଲଗୁଣ୍ଠା ବ୍ଲକ୍‍ ଓ ଏନଏସି ପୂର୍ବରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଥିବାବେଳେ ଭଞ୍ଜନଗର ବିଜେଡି ପ୍ରାର୍ଥୀତ୍ୱକୁ ନିଃସ୍ୱାର୍ଥପର ଭାବେ ସମର୍ଥନ ଦେଇ ଆସୁଛୁ । ୨୦୦୯ ସୀମା ନିର୍ଦ୍ଧାରଣ ପରେ ବେଲଗୁଣ୍ଠା ବ୍ଲ୍‍କ୍‍ ଓ ଏନଏସି ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ବାଦ୍‍ ପଡ଼ି ସୋରଡ଼ାରେ ସାମିଲା ହେଲା । ୨୦୦୯ ଓ ୨୦୧୪ରେ ସୋରଡ଼ାର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସମର୍ଥନ ଦେଇ ଆସୁଛୁ । ବିଜେଡି ବିଧାୟକଙ୍କ ବିଜୟରେ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଉଲ୍ଲେଖ ରହିଛି । ନବୀନ ସରକାରଙ୍କ ଶାସନ କାଳରେ ରାଜ୍ୟର କୋଣଅନୁକୋଣରେ ବିକାଶଧାରା ଚାଲିଥିବାବେଳେ ବେଲଗୁଣ୍ଠା ବ୍ଲକ୍‍ ଓ ଏନଏସିରେ ସେହିଭଳି ଆଖିଦୃଶିଆ ବିକାଶ ଦେଖିବା ଦୂରର କଥା ୧୦ବର୍ଷ ଧରି ଦାବି ସତ୍ତେ୍ୱ ମନ୍ଦାର ଓ ଠେଙ୍ଗାଧରା ଦେଇ ଯାଇଥିବା ବଡ଼ନଦୀରେ ଏକ ସେତୁ ନିର୍ମାଣ ହୋଇପାରିଲା ନାହିଁ । ବେଲଗୁଣ୍ଠା ବ୍ଲକ୍‍ର ୧୧ ପଞ୍ଚାୟତର ୯୬ ଗ୍ରାମବାସୀ ଏହି ନଦୀ ଯୋଗୁଁ ୬ରୁ ୮ କିମି ପରିବେର୍ତ୍ତା ଭଞ୍ଜନଗର ଦେଇ ୨୫ରୁ ୩୦ କିମି ରାସ୍ତା ଅତିକ୍ରମ କରି ବେଲଗୁଣ୍ଠାକୁ ଆସୁଛନ୍ତି । ଯାହାଦ୍ୱାରା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଛୋଟଛୋଟ କାମରେ ଏତେ ଦୂର ବେଲଗୁଣ୍ଠାକୁ ଆସିବାକୁ ପଡ଼ୁଛି । ସେହିପରି ପ୍ରାୟ ୨ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ବେଲଗୁଣ୍ଠା ବସ୍‍ଷ୍ଟାଣ୍ଡ ଲାଗି ଶୁଭ ଦେଇଥିଲେ ବି ଆଜିପର୍ଯ୍ୟନ୍ତ ମାଟି ମୁଠାଏ ବି ପଡ଼ିପାରିଲା ନାହିଁ । କେବେ ବି ବେଲଗୁଣ୍ଠା ବ୍ଲକ୍‍ କିମ୍ବା ଏନଏସିରୁ କେହି ବି ବିଧାୟକ ହୋଇନଥିବାରୁ ଏହି ବ୍ଲକ୍‍ ବା ଏନଏସି ଅଞ୍ଚଳ ସର୍ବଦା ଅବହେଳିତ ହୋଇଆସଥିବା ଦଶାଁଇ ଏହି ଅଞ୍ଚଳରୁ ବିଜେଡିରୁ ଟିକେଟ୍‍ ଦେବା ପଳଇଁ ଦାବି କରିଚନ୍ତି । ସେହିପରି ବିଜେପିରୁ ଦୁଇ ନେତା ଦଳୀୟ କାର୍ଯ୍ୟକ୍ରମ ନିଜ ନିଜ ସମର୍ଥକଙ୍କସହ ପୃଥକ ଭାବେ କରିଆୁସଥିବା ଦେଖିବାକୁ ମିଳିଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡା ୨୦୧୫ରେ ବିଜେପିରୁ ଲଢ଼ି ମାତ୍ର ୯୨୭୦ ଭୋଟ ପାଇଁ ତୃତୀୟ ସ୍ଥାନରେରହିଥିଲେ । ବର୍ତ୍ତମାନ ମଧ୍ୟ ସେ ଟକେଟ୍‍ ଆଶାୟୀ ଥିବାବେଳେ ପୂର୍ବତନ ଛାତ୍ର ନେତା ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଦାଶ ଦୁଇ ବର୍ଷ ହେଲା ବେଲଗୁଣ୍ଠା ଓ ସୋରଡ଼ାଅଞ୍ଚଳରେ ଯୁବ ଗୋଷ୍ଠୀ ଓ ଛାତ୍ରୀଙ୍କୁ ଏକାଠି କରି ଲୋକସମ୍ପର୍କ ବଢ଼ାଇଥିବାରୁ ବିଜେପି ଟିକେଟ ପାଇଁ ଦାବିଦାର ରହିଛନ୍ତି । ଏହି ଦୁଇନେତାଙ୍କ ବ୍ୟତୀତ ଅନ୍ୟ ଦୁଇଦଳରୁ ଏକ ଯୁବନେତା ବିଜେପିକୁ ଲମ୍ଫ ଦେଇ ଟିକେଟ ହାତେଇ ନେବା ନେଇ ଚର୍ଚ୍ଚା ହେଉଚି । ସେହିପରି କଂଗ୍ରେସରୁ ପିସିସି ସଦସ୍ୟ ଇଂ ସଂଗ୍ରାମକେଶରୀ ମହାନ୍ତି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ସଂଗଠିତ କରାଇ କଂଗ୍ରେସ ଟିକେଟ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି । ବେଲଗୁଣ୍ଠାର ଯୁବ ଆଇନଜୀବୀ ଏବଂ କଂଗ୍ରେସ ମିଡିଆ ସେଲ୍‍ ସଦସ୍ୟ ଓମ୍‍ ପ୍ରକାଶ ସାହୁ ନିଜ ସମର୍ଥକଙ୍କୁ ନେଇ ରାଜଧାନୀରେ ବିଭିନ୍ନ କଂଗ୍ରେସ ନେତାଙ୍କୁ ଭେଟି ଟିକେଟ୍‍ ପାଇଁ ନିଜର ଦାବି ଉପସ୍ଥାପନ ଜାରି ରଖିଥିବା ଜଣାପଡ଼ିଛି । ତେବେ କୌଣସି ଦଳର ପ୍ରାର୍ଥୀ ନାମ ଘୋଷଣା ହୋଇନଥିବାରୁ ନିଜ ପସନ୍ଦର ନେତାଙ୍କୁ ଟିକେଟ୍‍ ମିଳିବ କି ନାହିଁ ଏନେଇ କର୍ମୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ତାଲିକା ଘୋଷଣା ହେବାପରେ ସମସ୍ତ ଚିତ୍ର ସ୍ପଷ୍ଟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ