ସମଣା ମଣ୍ଡିରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ
ହାଟଡ଼ିହି : ବ୍ଲକ ସମଣା ସମବାୟ ସମିତିରେ ଧାନ କିଣା ନହେବା ପ୍ରତିବାଦରେ ଚାଷୀମାନେ ଆଜି ସମିତିରେ ତାଲା ପକାଇ ଧାରଣାରେ ବସିଛନ୍ତି । ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ମଣ୍ଡିର ଟାର୍ଗେଟ ଆସି ନଥିବାରୁ ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଛି । ଫଳରେ ଗତ ୧୫ଦିନ ହେଲା ଧାନ ବିକ୍ରୀ କରିନପାରି ଚାଷୀମାନେ ବାଧ୍ୟହୋଇ ଆଜି ସମିତିରେ ତାଲାପକାଇ ଧାରଣାରେ ବସିଛନ୍ତି । ଖଳା ବାଡିରେ ଧାନସବୁ ପଡି ପଡି ଗଜା ହେବା ସହିତ ଅନେକ ଚାଷୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଧାନ ନଷ୍ଟ ହୋଇଯିବାରୁ ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି ପ୍ରକାଶ ନାରାୟଣ ନନ୍ଦ, ମଧୁସୁଦନ ଦାସ, ସୁରେଶ କୁମାର ସାହା, ଅଜୟ କୁମାର ଖଟୁଆ, କାଙ୍ଗାଳି ଚରଣ ସାହୁ, ବଳାରାମ ସ୍ୱାଇଁ, ମଳୟ କୁମାର ବେହେରା, ରବିନାରାୟଣ ଦାସ, ପ୍ରଦୀପ କୁମାର ବେହେରା, ଗଙ୍ଗାଧର ସ୍ୱାଇଁ, ପ୍ରକାଶ ସା, ଗୋପାଳ ଚନ୍ଦ୍ର ପାଢ଼ୀ, ନଟବର ସ୍ୱାଇଁ, ମାନସ ର୍ଜନ ସାଙ୍କ ସମେତ ୩୦ରୁ ଉର୍ଦ୍ଧ ଚାଷୀ ସମିତିର କର୍ମଚାରୀ ମାନଙ୍କୁ ବାହାରକୁ ବାହାର କରିଦେଇ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ସମିତି ଅଧିନରେ ସମଣା, ହାବଳେଶ୍ୱର, ଗେଡମା, ଶାଳଣିଆଁ ଆଦି ପଞ୍ଚାୟତର ୪ହଜାର ଚାଷୀ ଥିବାବେଳେ ସେଥିମଧ୍ୟରୁ ମାତ୍ର ୭୭୫ଜଣ ଚାଷୀ ନାମ ପଞ୍ଜିକୃତ କରିଥିଲେ । ତନ୍ମଧ୍ୟରୁ ୭୬୮ଜଣ ଚାଷୀଙ୍କନାମ ଭେରିଫାଏଡ ହୋଇ ପର୍ଯ୍ୟାୟକ୍ରମେ ଟୋକନ ଆସିଥିଲା । ସେଥିମଧ୍ୟରୁ ୫୩୨ଜଣ ଚାଷୀଙ୍କ ଠାରୁ ୩୦ହଜାର ୪୨୬କୁଇଣ୍ଟାଲ ୪୧କିଲୋ ଧାନ କିଣାଯାଇଥିବାବେଳେ ଆହୁରି ୨୩୬ଜଣ ଚାଷୀଙ୍କ ଧାନ କିଣାଯାଇ ପାରି ନାହିଁ । ଗତ ୧୦ଦିନ ହେଲା ୨୧୫ଜଣ ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ସେମାନଙ୍କ ଧାନ କିଣାଯାଇ ପାରୁ ନାହିଁ । ମଣ୍ଡିକୁ ଧାନ ଆଣିବା ବେଳକୁ ସମିତିର ସମ୍ପାଦକ ଟାର୍ଗେଟ ଆସିନାହିଁ କହି ଧାନ ଫେରାଇ ଦେଉଛନ୍ତି । ଅଢ଼େଇଧ୍ୱାର ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କର ଗତ ୭ତାରିଖଦିନ ଧାନ ବିକିବା ପାଇଁ ଟୋକନ ଆସିଥିଲେବି ମଣ୍ଡି କର୍ତ୍ତୁପକ୍ଷ ଧାନ ନରଖିବାରୁ ସେ ଧାନଆଣି ଫେରାଇ ନେଇଥିଲେ । ସେହିପରି ମଧୁସୁଦନ ଦାସ ନାମକ ଜଣେ ଚାଷୀ ୯୯କୁଇଣ୍ଟାଲ ଧାନ ବିକିବା ପାଇଁ ଟୋକନ ପାଇଥିବାବେଳେ ଆଜି ମଣ୍ଡିକୁ ଧାନଧରି ଆସିଥିବାବେଳେ ତାଙ୍କ ଧାନ କିଣା ନହେବାରୁ ସେ ଧାନକୁ ଫେରସ୍ତ କରିନେଇଥିଲେ । ସେହିପରି ସୁରେଶ କୁମାର ସା ନାମକ ଜଣେ ଚାଷୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୨୫ଏକର ଚାଷ କରିଥିବାବେଳେ ଗତ ଡିସେମ୍ବର ମାସରୁ ସେ ଧାନ ଅମଳକରି ଖଳାବାଡିରେ ପକାଇ ରଖିଛନ୍ତି । ଗୋଟିଏ କୁଇଣ୍ଟାଲ ଧାନ ସେ ବିକ୍ରି କରି ନାହାନ୍ତି । ତାଙ୍କର ଚଳିତମାସ ୧୩/୧୪/୨୧ ଓ ୨୪ତାରିଖରେ ଧାନ ବିକିବା ପାଇଁ ଟୋକନ ପାଇଥିବାବେଳେ ଆଜି ମଣ୍ଡିକୁ ଧାନନେଇ ଆସିଥିବାବେଳେ ତାଙ୍କ ଧାନକୁ ରଖାଯାଇ ନଥିଲା । ଫଳରେ ନିରାଶ ହୋଇ ଧାନକୁ ଘରକୁ ଫେରାଇ ନେଇଥିଲେ । ସେହିପରି ମାନସ ରଞ୍ଜନ ସା, ଅରୁଣ କୁମାର ନାୟକ, ରବିନାରାୟଣ ଦାସ, ପାର୍ବତୀ ବେହେରା, ନଟବର ସ୍ୱାଇଁ ପ୍ରମୁଖ ଚାଷୀମାନେ ୭ତାରିଖ ଦିନ ଧାନ ବିକ୍ରିକରିବେ ବୋଲି ଟୋକନ ପାଇଥିଲେ ମଧ୍ୟ ୭ତାରିଖ ଦିନ ଧାନ ଆଣି ଫେରସ୍ତ ନେଇଥିଲେ । ଅନେକ ଚାଷୀଙ୍କ ଧାନ ଏବେ ଖଳାରେ ପଡି ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀମାନେ ଅଭିଯୋଗ କରିବା ସହ ଧାନ କିଣାନଗଲେ ସମିତିର ତାଲା ଖୋଲିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସମିତିର ସମ୍ପାଦକ ଅକ୍ଷୟ କୁମାର କବିଙ୍କୁ ପଚାରିବାରେ ସେ ଚାଷୀଙ୍କ ଟୋକନ ଆସିଥିଲେ ମଧ୍ୟ ଟାର୍ଗେଟ ଦିଆଯାଇ ନଥିବାରୁ ଆମେ ଧାନ କିଣିପାରୁ ନାହୁଁ ବୋଲି କହିଛନ୍ତି ।ଏ ସମ୍ପର୍କରେ ଆମେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦେଇଛୁ ସେମାନେ ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।