ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମର ସୋମବାର ଶୁଭାରମ୍ଭ ହୋଇଛି । ଡେଙ୍ଗୁ, ଡ଼ାଇରିଆ, ମ୍ୟାଲେରିଆ, ଯକ୍ଷ୍ମା ଓ କୁଷ୍ଠ ଆଦି ପାଞ୍ଚଟି ରୋଗର ଜିଲାସ୍ତରୀୟ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଜିଲାବ୍ୟାପୀ ଆଶାକର୍ମୀମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ । ସମସ୍ତ ଘରେ ଓ ଆର ଏସ ପାଉଡର ଦେବା ସହ ପାଞ୍ଚ ବର୍ଷରୁ କମ ପିଲାଙ୍କୁ ଜ଼ିଙ୍କ ବଟିକା ପ୍ରଦାନର ବ୍ୟବସ୍ଥା ରହିଛି । ଏନେଇ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଓଆରଏସ କର୍ଣ୍ଣର ଖୋଲିବା ସହ ହାତଧୁଆ ଏବଂ ଓଆରଏସ ଦ୍ରବଣ ପ୍ରସ୍ତୁତି ସମ୍ପର୍କରେ ତାଲିମ ବ୍ୟବସ୍ଥା କରାଯାଇଛି । ଜିଲାର ମୋଟ ୪୯୨୬୪୪ ଗୃହ ପରିଦର୍ଶନ କରିବା ସହ ୨୧୨୪୫୮ ପ୍ୟାକେଟ ଓଆରଏସ ବାଣ୍ଟିବାର ଯୋଜନା ରହିଛି ବୋଲି ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି ।ଏହି ପରୀପ୍ରେକ୍ଷୀରେ ଏକ ସଚେତନତା ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ମିଶ୍ରଙ୍କ ସମେତ ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ଅରୂପ ଅଭିଷେକ, ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ଡିପିଏମ ଅନୀଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହି ପୋଷ୍ଟରକୁ ଉନ୍ମୋଚନ କରିବା ସହିତ ସର୍ବେକ୍ଷଣର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସୂର୍ଯ୍ୟଜିତ ରାୟ, ଏଲିନା ସାମଲ ଓ ରମଣୀ କାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।