ଶିଳ୍ପୋଦ୍ୟୋଗୀ ସ୍ୱର୍ଗତ ହିମାଂଶୁ ଦାସଙ୍କ ପତ୍ନୀ ଚିନ୍ମୟୀ ଦାସଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଶିଳ୍ପୋଦ୍ୟାଗୀ ସ୍ୱର୍ଗତ ହିମାଂଶୁ କୁମାର ଦାସଙ୍କ ଧର୍ମପତ୍ନୀ ଚିନ୍ମୟୀ ଦାସଙ୍କର ସୋମବାର ପରଲୋକ ହୋଇଯାଇଛି । ମୃତ୍ୟୁ ବୋଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ରହିବା ସହ ନିୟମିତ ଚିକିତ୍ସିତ ହେଉଥିଲେ । ଗତକାଲି ନିଃଶ୍ୱାସ ନେବାରେ ଜଟିଳ ସ୍ଥିତି ଉପୁଜିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ଣ ପ୍ରାୟ ୯ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତଶରୀର ବାଲେଶ୍ୱରରେ ପହଞ୍ଚିବା ପରେ ଆତ୍ମୀୟସଜ୍ଜନ, ବନ୍ଧୁବାନ୍ଧବଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଗୃହରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅପରାହ୍ଣରେ ତାଙ୍କର ପ୍ରାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଆଇଟିଆଇ ପାଖ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଦୁଇପୁତ୍ର ସଂଜୟ ଦାସ ଓ ସଂଗ୍ରାମ ଦାସ ମୁଖାଗ୍ନି ଦେଇଥିଲେ । ଶବଧାରରେ ସଂଜୀବ ଦାସଙ୍କ ସମେତ ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସାମଜସେବୀ ସୁବାସିନୀ ଜେନା, ସଦର ବିଧାୟକ ସ୍ୱରୂପ ଦାସ, ଅଏନ ସେନ, ଦିଲୀପ ନାୟକ, ବିଷ୍ଣୁ ମୋରେ , ରଜେଶ ଖଣ୍ଡେଲୱାଲ, ମନୀଷ ସରାୱଗୀ, ଚିନ୍ମୟ ବିଶ୍ୱାଳ, ମନୋଜ ରାଉତ, ରଂଜନ ବାଗ, ରଶ୍ମିରଂଜନ ଦାସ, ବଂଶୀଧର ଜେନା, ଡ. ଶ୍ରୀମାନ ଶ୍ରୀଚନ୍ଦନ, ଅସିତ ଦାସ, ସତ୍ୟ ଦାସ, ଜୟରାମ ଦାସ, ସତ୍ୟପ୍ରକାଶ ପତି, ତୁଷାରକାନ୍ତ ତପସୀ, ଦେବଦତ୍ତ ଦାସ, ସମ୍ବିତ ବିଶ୍ୱାଳ ପ୍ରମୁଖ ଶବ ଶୋଭାଯାତ୍ରାରେ ଯୋଗଦେବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଜଣେ ସରଳ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ତଥା ଧର୍ମପ୍ରାଣା ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।


