ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ର ଚେତାବନୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଦିନରାତି ଏକ କରି ଚାଷୀ ଚାଷଜମିରେ ପରିଶ୍ରମ କରି ଧାନ ଉପାର୍ଜନ କରିଥାଏ । ସେମାନଙ୍କ ଧାନକୁ ବିକ୍ରି କରି ଭଲ ଦି ପଇସା ରୋଗଜାର କରିବା ପାଇଁ ଅନାଇ ବସିଥାଏ । ଏପଟେ ମିଲର ମାନେ ଚାଷୀଙ୍କ ଧାନ ନ କିଣିବାରୁୁ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଗୋବା ସମବାୟ ସମିତିର ୩୫ ଜଣ ଚାଷୀଙ୍କ ଟୋକେନ ଲାପସ୍ ହୋଇଯାଇଛି । ସେହି ଟୋକେନ ଗୁଡିକ ପୁନଃ ଯୋଗାଇବା ସଂଗେ ସଂଗେ ବାକିଥିବା ସମସ୍ତ ଚାଷୀଙ୍କ ଟାଗେର୍ଟ ଅନୁଯାୟୀ ଧାନ ଉଠାଇବା ଦାବୀ ନେଇ ଶୁକ୍ରବାର ଛତ୍ରପୁର ବ୍ଲକର ଗୋବା ଗ୍ରାମର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଫେବୃୟାରୀ ୧୫ସୁଦ୍ଧା ସମସ୍ତ ପଂଜିକୃତ ଚାଷୀଙ୍କ ଧାନ କିଣା ନଗଲେ ଆସନ୍ତା ଦିନରେ ଚାଷୀମାନେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି । ଏନେଇ ଗୋବା ଗ୍ରାମ୍ୟ କମିଟିର ସଭାପତି ଜଗନ୍ନାଥ ସୂର , ପୂର୍ବତନ ସଭାପତି ମୋଚିରାମ ସାହୁ ଓ ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆଙ୍କ ନେତୃତ୍ୱ ଗୋବା ଗ୍ରାମର ବହୁ ଚାଷୀ ମାନେ ଗଂଜାମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏ ସମସ୍ତ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହିତ ଚାଷୀମାନେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଜିଲ୍ଲା ଭାରପ୍ରାପ୍ତ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଗୋବା ସମବାୟ ସମିତି ଅଧୀନରେ ଧାନ କ୍ରୟ କରିବା ନିମନ୍ତେ ୧୪୧ଜଣ ଚାଷୀ ନାମ ପଂଜିକରଣ କରିଛନ୍ତି । ସେଥି ମଧ୍ୟରୁ ୫୪ଜଣ ଚାଷୀଙ୍କ ଧାନ ସଂଗ୍ରହ ହୋଇଥିବା ବେଳେ ୩୫ଜଣ ଚାଷୀଙ୍କ ଟୋକେନ ଅବଧି ଶେଷ ହୋଇଯାଇଥିଲେ ସୁଦ୍ଧା ମିଲର ମାନେ ସେମାନଙ୍କ ଧାନ ନେଇ ନାହାଁନ୍ତି । ଏଣୁ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ନିମନ୍ତେ ଗୋବା ଗ୍ରାମ୍ୟ କମିଟି ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ପୂର୍ଣ୍ଣ ଚନ୍ଦ୍ର ସୂର , ତ୍ରିନାଥ ସାହୁ, ବିଶ୍ୱନାଥ ଗଉଡ , ପ୍ରକାଶ ଗୈାଡ, ଜୋଗ ସ୍ୱାଇଁ ,ରିଲୁ ସୂରଙ୍କ ସମେତ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ ।


