ସମସ୍ୟା ଘେରରେ ଗୋପିନାଥପୁର ଗ୍ରାମ ପଞ୍ଚାୟତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ଗୋପିନାଥପୁର ପଞ୍ଚାୟତ ୧୯୬୫ ମସିହାରେ ଗଠିତ ହୋଇଥିଲା । ଜନସଂଖ୍ୟା ଓ କ୍ଷେତ୍ରଫଳ ଦୃଷ୍ଟିରୁ ଏହି ପଞ୍ଚାୟତ ସର୍ବବୃହତ ହୋଇଥିବା ବେଳେ ଏବେ ନାନାଦି ସମସ୍ୟା ମଧ୍ୟରେ ଗତି କରୁଛି । ବିଶେଷକରି ଏହି ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା, ପ୍ରାଣୀ ଚିକିତ୍ସା, ଗମନାଗମନ ଏବଂ ମିଶନଶକ୍ତି ବିଭିନ୍ନ ସମସ୍ୟାରେ କବଳିତ ହୋଇଛି । ଗତ ୨ ବର୍ଷ ହେବ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଏଏନ୍‌ଏମ୍ ଅବସର ନେଇଥିବା ବେଳେ ସେହି ସ୍ଥାନରେ କାହାକୁ ନିଯୁକ୍ତି ଦିଆଯାଇନାହିଁ । ସ୍ୱାସ୍ଥ୍ୟ ଉପକେନ୍ଦ୍ର ଘରଟି ଜରାଜିର୍ଣ୍ଣ ଅବସ୍ଥାରେ ଭୂତକୋଠି ପାଲଟିଛି । ମିଶନଶକ୍ତି ଅଫିସ ଗୃହ ଆମ ଗାଁ ଆମ ବିକାଶ ପାଣ୍ଠିରୁ ଅର୍ଦ୍ଧନିର୍ମିତ ହୋଇପଡି ରହିଛି । ସ୍ଥାୟୀ ଅଫିସ ଗୃହ ନଥିବାରୁ ସ୍ଥାନୀୟ ମହିଳା ମହାସଂଘ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ନବନିିର୍ମିତ ପ୍ରାଣୀଧନ ନୀରିକ୍ଷକ କାର୍ଯ୍ୟାଳୟ ସଂପୂର୍ଣ୍ଣ ହୋଇପଡି ରହିଛି । ଏଠାରେ କେହି ପ୍ରାଣୀ ଚିକିତ୍ସକ ଆସିବା ତ ଦୂରର କଥା ଘରଟି ସଂପୂର୍ଣ୍ଣ ହେବା ପରେ ପ୍ରଶାସନ ତରଫରୁ ପ୍ରାଣୀ ସଂପଦ ବିଭାଗକୁ ହସ୍ତାନ୍ତର କରାଯାଇପାରିନାହିଁ । ଏହି ଗୃହ କେତେକ ଲୋକଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଲାଗୁଥିବା ଦେଖିବାକୁ ମିଳିଛି । ସେହିପରି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ କେନାଲ ବନ୍ଧକୁ ସଂଯୋଗ କରୁଥିବା ରାସ୍ତାଟି ଗତ ୨୦୦୦ ମସିହାରେ ବ୍ଲକ ପ୍ରଶାସନ ତରଫରୁ ଏଫ.ଡି.ଆର୍‌. ଅର୍ଥରେ ମେଟାଲ, ମୋରମ କାର୍ଯ୍ୟ ହୋଇଥିଲା । ପରେ ଗତ ୨୦୦୭ ମସିହାରେ ତତ୍କାଳୀନ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ମାତ୍ର କେତେ ଟ୍ରିପ୍ ମୋରମ ପକା ଯାଇଥିଲା । ତାପର ଠାରୁ ଉକ୍ତ ରାସ୍ତାଟି ମରାମତି ହୋଇନାହିଁ । ଏହି ରାସ୍ତା ଦେଇ ବଡସନ୍ଦାଡୋ, ସାନସନ୍ଦାଡୋ, ପାହାଡପୁର, ପାଣିଛତ୍ର, ତୁଳିପଦା, ସାନସାହୁପଡା ଗ୍ରାମର ଲୋକ ମାନେ ରାଶନ ସାମଗ୍ରୀ ଓ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋପିନାଥପୁର କଲ୍ୟାଣ ମଣ୍ଡପରୁ କେନାଲ ବନ୍ଧ ରାସ୍ତା, ମାର୍କଣ୍ଡପୁର ଛକରୁ କେନାଲ ବନ୍ଧ ରାସ୍ତା, କେନାଲ ବନ୍ଧରୁ ତୁଳିପଦା, ସାନସାହୁପଡା ଏବଂ ପାଣିଛତ୍ର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜଣେ ଏଏନଏମକୁ ସ୍ଥାୟୀ ନିଯୁକ୍ତି ଦେଇ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା, ମିଶନଶକ୍ତି ଅଫିସକୁ ଯଥାଶିଘ୍ର ସଂପୂର୍ଣ୍ଣ କରିବା, ରାସ୍ତା ଗୁୁଡିକର ସ୍ଥାୟୀ ମରାମତି କରିବା ଏବଂ ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ରରେ ଚିକିତ୍ସକ ନିଯୁ୍‌କ୍ତି କରିବା କିମ୍ବା ସେହି ଘରଟିକୁ ଚିକିତ୍ସକ ନିଯୁକ୍ତି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ଗ୍ରାମ ପଞ୍ଚାୟତ ମହିଳା ମହାସଂଘକୁ ଅସ୍ଥାୟୀ କାର୍ଯ୍ୟାଳୟ ପାଇଁ ହସ୍ତାନ୍ତର କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପଞ୍ଚାୟତବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ