ସମାଜସେବୀ ନାରାୟଣ ନାୟକଙ୍କ ଅକାଳ ବିୟୋଗ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମର ଯୁବକ ନାରାୟଣ ନାୟକଙ୍କ କୋଏମ୍ବାଟୁରରେ ଆକସ୍ମିକ ମୃତୁ୍ୟ ଘଟିଛି । ଆଜି ସକାଳେ ତାଙ୍କ ମରଶରୀର ଛେନାପଦିଛକରେ ପହଞ୍ଚିବାପରେ ଏକ ବିରାଟ ପଟୁଆରେ ଛେନାପଦିଛକରୁ ପନ୍ଦାଡୋ ପର୍ଯ୍ୟନ୍ତ ନିଆଯାଇ ସେଠାରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ସ୍ୱର୍ଗତ ନାରାୟଣ ନାୟକ କେରଳର ଏକ କମ୍ପାନୀରେ ସୁପର ଭାଇଜର ଭାବେ କାର୍ଯ୍ୟ କରୁଥିବାବେଳେ ଗତ ଗୁରୁବାର ଦିନ ଏକ ଚା ଦୋକାନରେ ଚା ପିଉଥିବା ସମୟରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାଯୋଗୁଁ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋଏମ୍ବାଟୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ସେଠାରେ ଶନିବାର ତାଙ୍କର ମୃତୁ୍ୟ ଘଟିଥିଲା । ସେ ଜଣେ ଆମାୟିକ ଓ ଭଦ୍ର ଯୁବକ ଭାବେ ଜଣାଶୁଣା ଥିଲେ । ସେ ମା ତାରିଣୀ ସେବାସଂସ୍ଥାର ଜଣେ ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟକରି ଗତ କରୋନା ସମୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ଲୋକମାନଙ୍କୁ ସେବା ଯୋଗାଇ ଉଚ୍ଚ ପ୍ରସଶିଂତ ହୋଇଥିଲେ । ସେ ଗତ ଛଅବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ୫ବର୍ଷର ଶିଶୁକନ୍ୟା ଅଛି । ତାଙ୍କର ଏପରି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି । ଏ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଆଜି ସକାଳେ ଏକ ଆମ୍ବୁଲନସ ଯୋଗେ ତାଙ୍କ ମରଶରୀର ଛେନାପଦିଛକରେ ପହଞ୍ଚିବାପରେ ଶହଶହ ସ୍ୱେଚ୍ଛାସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବା ସହିତ ତାଙ୍କୁ ଏକ ବିରାଟ ପଟୁଆରେ ତାଙ୍କ ଗାଁ ନିକଟକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବିଶ୍ୱଜିତ ରାଉତ, ସାଂସଦ ପ୍ରତିନିଧି ତଥା ମାତାରିଣୀ ସେବାସଂସ୍ଥାର ସଭାପତି ନନ୍ଦୁ ଚରଣ ଜେନା, ପନ୍ଦାଡୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନିକୁଞ୍ଚ ବିହାରୀ ଓଝା, ହାଟଡିହି ପଞ୍ଚାୟତର ସମିତିସଭ୍ୟ କୈଳାଶ ରାଉତ, ଯୁବ ବିଜେଡିର ଜିଲ୍ଲା ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ଚକ୍ରଧର ସାହୁ, ମୁଖ୍ୟ ଉପଦେ୍ଦଷ୍ଟା ମଧୁସୁଦନ ସାହୁ, ବାବୁ ସାହୁ, ଝରଣା ପଣ୍ଡା, କାବେରୀ ସାହୁ, ପ୍ରମିଳା ସାହୁ, ସୌଦାମିନୀ ଜେନା, ବିଜୟ କୁମାର ରାୟ, ରଘୁନାରାୟଣ ବେହେରା, ଚିତ୍ତ ରଞ୍ଜନ ସାହୁ, ବାବୁଲି ପରିଡା, ବାବୁ ପାତ୍ରଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।