ସମାଜସେବୀ ହାରାମଣୀ ମହାନ୍ତିଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ସମାଜସେବୀ ହାରାମଣୀ ମହାନ୍ତିଙ୍କର ୯୧ବର୍ଷ ବୟସରେ ହୃଦଘାତରେ ଶନିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଦୀପ, ଦିଅର ରମେଶ ଚନ୍ଦ୍ର ମହାନ୍ତି, ପୁତୁରା ଶିକ୍ଷକନେତା ଅବନୀ ମହାନ୍ତି, କଂଗ୍ରେସ ନେତା ଜୟନ୍ତ ମହାନ୍ତି, ପ୍ରଣବ ମହାନ୍ତି, କୈଳାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡଃ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ, ଯୁବନେତା ହିମାଂଶୁ ଭୂଷଣ କର, କମଳନୟନ ଦାସ, ରୋଟାରିୟାନ ପିତାମ୍ବର ଦାସ, ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ନଳିନୀ ବିହାରୀ ମହାନ୍ତି, ପ୍ରଫୁଲ୍ଲ ସାହୁ, ସଞ୍ଜୟ ରାଉତ, ମନୋରଞ୍ଜନ ମହାନ୍ତି, ରାଜେଶ ମହାନ୍ତି, କମଳାକାନ୍ତ ବେହେରା, ମୀର ମୁର୍ଶୀଦଙ୍କ ସମେତ ୬ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ, ଶ୍ୟାମସୁନ୍ଦର ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ତାଙ୍କ ପୁରୁଷୋତ୍ତମପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗରାପୁର ଶିବାନନ୍ଦ ଆଶ୍ରମର ମୁଖ୍ୟ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଶୋକବ୍ୟକ୍ତ କରିବା ସହ ଆଶ୍ରମବାସୀଙ୍କ ହସ୍ତରେ ଗଙ୍ଗାଜଳ, ଯଜ୍ଞଭସ୍ମ ଓ ଠାକୁରଙ୍କ ବସ୍ତ୍ର ପ୍ରଭୃତି ପଠାଇଥିଲେ । ସ୍ୱର୍ଗତା ମହାନ୍ତିଙ୍କ ବିୟୋଗରେ ଡାକ୍ତର ବିରଞ୍ଚି ନାରାୟଣ ଜଗଦ୍ଦେବ, ଡା. ବିଶ୍ୱ ପ୍ରକାଶ କାନୁନଗୋ, କେଦାରନାଥ ଦାସ, ରେଣୁବାଳା କର, ଗୁରୁ ପ୍ରସାଦ ମହାନ୍ତି, ରମାକାନ୍ତ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ପ୍ରଦୀପ ମୁଖାଗ୍ନି ଦେଇଥିଲେ ।


