ସମାଜସେବୀ ୰ ନିଶାମଣୀ ମିଶ୍ରଙ୍କ ସ୍ମ୍ମୃତିସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଣ୍ଟାବାଡ଼ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ୰ ନୀଳକଣ୍ଠ ମିଶ୍ରଙ୍କ ଧର୍ମପତ୍ନୀ ୰ ନିଶାମଣୀ ମିଶ୍ରଙ୍କର ସ୍ମ୍ମୃତିଚାରଣ ସଭା କଣ୍ଟାବାଡ଼ସ୍ଥ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମାନ୍ୟବର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ, ଶିକ୍ଷାବିତ୍ ଲୋକନାଥ ପଣ୍ଡା, ଡଃ ଅମରେନ୍ଦ୍ର ନାଥ ମହାପାତ୍ର, ଅଧ୍ୟାପକ ରବିନାରାୟଣ ପଣ୍ଡା, ବୈକୁଣ୍ଠନାଥ ମହାପାତ୍ର, ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରଦାୟାଦ ସଂଗଠନ ସଭାପତି, ଖୋର୍ଦ୍ଧା ଜିଲ୍ଲା, ଐତିହାସିକ ରବିନ୍ଦ୍ର କୁମାର ପରିଡ଼ା ଅତିଥି ଭାବେ ଯୋଗଦାନ କରି ସମାଜସେବୀ ନିଶାମଣୀ ମିଶ୍ରଙ୍କ ବାଲ୍ୟ ଜୀବନରୁ ବିବାହ ପର୍ଯ୍ୟନ୍ତ କିପରି ଦୁଃଖଦ ଘଟଣାବଳୀ ଥିଲା ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଗାଁର ଝିଅ ଗାଁର ବୋହୂ ସାଜି ସମସ୍ତଙ୍କର ଆଦରଣୀୟା ନାନୀ ଭାବରେ ପରିଚିତ ହୋଇ ମାଟି ମା’ର ଉନ୍ନତି ପାଇଁ ଅହରହ ଚିନ୍ତା ଓ ଗରିବ ପିଲାମାନଙ୍କର ପାଠପଢ଼ା ପାଇଁ ଆର୍ଥିକ ଅନୁଦାନ ଯୋଗାଇବା ତାଙ୍କର ମହତ୍ କାର୍ଯ୍ୟ ଥିଲା । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ. ୧,୦୦,୦୦୦/- ଅର୍ଥ ଦାନ କରିବା ଓ ବୃଦ୍ଧ, ବୃଦ୍ଧାମାନଙ୍କୁ ଖାଦ୍ୟ, କମ୍ବଳ ଯୋଗାଇବା ତାଙ୍କର ମହତ୍ କାର୍ଯ୍ୟ ଥିଲା । ଏହି ମହତ୍ କାର୍ଯ୍ୟପାଇଁ ୨୦୧୯ ମସିହାରେ ମଦର ଟେରେସା ସମ୍ମାନ ଓ କସ୍ତୁରବା ନାରୀ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତିସଭାକୁ ବଂଶୀଧର ପାଣିଗ୍ରାହୀ, ରାଜକିଶୋର ମିଶ୍ର, ମାନସ ରଞ୍ଜନ ଦାଶ, ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ, କବି ସନ୍ତୋଷ କୁମାର ଦାଶ ଓ କବି ସନ୍ତୋଷ କୁମାର ମହାପାତ୍ର ସଂଯୋଜନା କରିଥିଲେ । ଶେଷରେ ଶିଳ୍ପପତି ପୁତ୍ର ଶିବନାରାୟଣ ମିଶ୍ର ଅତିଥିମାନଙ୍କୁ ଓ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


