ସମ୍ପତି ପାଇଁ ସର୍ମ୍ପକୀୟ ଦାଦାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଶୁଣାଣୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ନଭେମ୍ବର ମାସରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମରେ ସମ୍ପତି ଭାଗ ବଣ୍ଟାକୁ କେନ୍ଦ୍ର କରି ପୁତୁରାର ଶାବଳ ମାଡରେ ସର୍ମ୍ପକୀୟ ଦାଦା ଗୁରୁତର ଆହତ ହୋଇଥିଲେ । ସଂପୃକ୍ତ ଘଟଣାର ଶୁଣାଣୀ କରି ମାନ୍ୟବର ନ୍ୟାୟଳୟ ତଥା ସବଜର୍ଜ ଅବକାଶ ଚୌଧରୀ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ପ୍ରଦାନ କରିବା ପାଇଁ ରାୟ ପ୍ରକାଶ କରିଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ଗତ ନଭେମ୍ବର ମାସରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ୨ ସର୍ମ୍ପକୀୟ ଭାଇ ସାରଥୀ ଦାସ ଓ ନଅଙ୍କ ଦାସ ମଧ୍ୟରେ ସମ୍ପତି ଭାଗ ବଣ୍ଟାକୁ କେନ୍ଦ୍ର କରି ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନଅଙ୍କ ଦାସଙ୍କ ପୁଅ ହରିଶ୍ଚନ୍ଦ୍ର ଦାସ ଏକ ଲୁହା ରଡରେ ସର୍ମ୍ପକୀୟ ଦାଦା ସାରଥୀ ଦାସଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ । ଆକ୍ରମଣରେ ସାରଥୀ ଗୁରୁତର ଆହତ ହେବା ସହ ଅଚେତ ହୋଇ ଘଟଣା ସ୍ଥଳରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିଛି ଦିନ ପରେ ଆହତ ଜଣଙ୍କ ସୁସ୍ଥ ହେବା ପରେ ଘଟଣା ନେଇ ନଭେମ୍ବର ୧୮ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୩୮/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ଉପେନ୍ଦ୍ର କାର୍ସ୍କା ଆକ୍ରମଣକାରୀ ପୁତୁରା ହରିଶ୍ଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରମୋଦ କୁମାର ଦଳାଇ ମାମଲା ପରିଚାଳନା କରିଥିଲେ ।