ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରସ୍ଥିତ ପୋଲିସ୍ ଲାଇନ୍ ଛକ ପାଶ୍ୱର୍ରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ‘ଆମ୍ବେଦକର ବିକାଶ ପରିଷଦ’ ପକ୍ଷରୁ ତାଙ୍କର ୧୩୩ ତମ ପୂଣ୍ୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଅତ୍ୟନ୍ତ ଭାବଗମ୍ଭୀର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ସକାଳେ ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ଗଣସଂଗଠନ ତଥା ରାଜନୈତିକ ଦଳର ନେତୃବୃନ୍ଦ ବହୁସଂଖ୍ୟାରେ ଉପସ୍ଥିତ ହୋଇ ଦେଶର ଏହି ମହାନ୍ କ୍ରାନ୍ତିଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞଙ୍କ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରେ ‘ଆମ୍ବେଦକର କଲ୍ୟାଣ ପରିଷଦ’ର ସଭାପତି ସୁଦର୍ଶନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ବକ୍ତା ଉଦ୍ବୋଧନ ଦେଇ ମତବ୍ୟକ୍ତ କରିଥିଲେ କି – ଶହଶହ ବର୍ଷର ଅନ୍ଧବିଶ୍ୱାସ, କୁସଂସ୍କାର, ଜାତିଭେଦ ଆଦି ଘୃଣ୍ୟପ୍ରଥାର ବିଲୋପ ସାଂଗକୁ ସାମ୍ରାଜ୍ୟବାଦର ଗୋଲାମୀ, ସାମନ୍ତବାଦୀ, ପୁଞ୍ଜିବାଦୀ ବ୍ୟବସ୍ଥାର ଅବସାନ ଘଟାଇ – ଏ ଦେଶକୁ ଏକ ପ୍ରଗତିଶୀଳ ସମାଜବାଦୀ, ଧର୍ମନିରପେକ୍ଷ, ସର୍ବଧର୍ମ ସମଭାବ, ସମତାଯୁକ୍ତ, ଶୋଷଣମୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ଲାଗି ଡ. ଆମ୍ବେଦକର ସମ୍ବିଧାନ ସଭାର ଅଧ୍ୟକ୍ଷଭାବେ ନିଜର କର୍ତ୍ତବ୍ୟ ସଂପାଦନ କରି ଯେଉଁ ଐତିହାସିକ ଦାୟିତ୍ୱ ନିର୍ବାହ କରିଛନ୍ତି – ତାହାକୁ ଏ ଦେଶର କୋଟିକୋଟି ଜନଗଣ ଚିରକୃତଜ୍ଞତାର ସହ ସ୍ମରଣ କରୁଥିବେ କାଳକାଳଲାଗି । ସଂପ୍ରତି ଆମ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଦେଖାଯାଇଥିôବା ସଂକଟ ସାମନା କରି କଷ୍ଟଲବ୍ଧ ସ୍ୱାଧୀନତା – ଜାତୀୟତା ଓ ଗଣତନ୍ତ୍ରର ସୁରକ୍ଷା ଲାଗି ଆମ୍ଭେମାନେ ଆଗେଇଆସିବା ଉଚିତ । ଆଜିର ଦିନରେ ଆମ୍ଭେ ସଭିଏଁ ସଂକଳ୍ପ କରିବା – ଆମ ସମ୍ବିଧାନ ସୁରକ୍ଷିତ ହେଲେ ଏ ଦେଶର ଗୀତା, ବାଇବେଲ, କୋରାନ୍, ତ୍ରିପିଟକ ଓ ଗ୍ରନ୍ଥସାହେବ ସୁରକ୍ଷିତ ରହିବ । ଅର୍ଥାତ୍ ସମାଜର ସବୁବର୍ଗ ଓ ସବୁ ମତ ଓ ସବୁ ପନ୍ଥର ଲୋକେ ସୁରକ୍ଷିତ ରହିବେ । ସଭାରେ ବିଶିଷ୍ଟ ବକ୍ତାଭାବେ ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା, କବି ଓ ପ୍ରକାଶକ କାଳୀପଦ ପଣ୍ଡା, ବାମପନ୍ଥୀ ନେତା ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା, ଆଇନଜୀବୀ ନିରଞ୍ଜନ ପରିଡ଼ା, ସମାଜସେବୀ ଶୁଭଙ୍କର ମହାପାତ୍ର, ମୃତ୍ୟୁଞ୍ଜୟ ଜେନା, ସୀତାରାମ ଦାସ, ସୀତାରାମ ପ୍ରଧାନ, ପରିଷଦର ଉପଦେଷ୍ଟା ରଘୁନାଥ ମହାଳିକ, ବସନ୍ତ ବେହେରା, ନାରୀନେତ୍ରୀ ଊର୍ମିଳା ମାଝୀ, ସ୍ନେହଲତା ଦାସ, ଦାମୋଦର ନାୟକ, ଇଂ. ହୃଷିକେଶ ସାହୁ, ଶରତ ଚନ୍ଦ୍ର ମହାପାତ୍ର, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସମବେତ ଜନଗଣଙ୍କୁ ଉଦ୍ବୋଧନ ଦେଇ ସମାଜବାଦ, ସମାଜ ସଂସ୍କାର, ରାଷ୍ଟ୍ରନିର୍ମାଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଏହି କ୍ରାନ୍ତିଦ୍ରଷ୍ଟା ଜନନାୟକଙ୍କ ବିଚାର-ଦର୍ଶନ ଓ ଆଦର୍ଶକୁ ପାଥେୟ କରି ଆମେ ଦେଶର ନାଗରିକଗଣ ସମାଜ ଓ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ଆହ୍ୱାନ ଦେଇଥିଲେ । ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏଡିଏମ୍ ସୁଧାକର ନାୟକ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ସହକାରୀ ଜିଲ୍ଲାପାଳ ଶୁଭଶ୍ରୀ ମିଶ୍ର ଓ ଜିଲ୍ଲା ସୂଚନା ଅଧିକାରୀ ପ୍ରମୁଖ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ବିଚାର ଓ ଦର୍ଶନ ଉପରେ ଆଲୋକପାତ କରିଥିଲେ ।