ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମହାନଦୀରେ ବନ୍ୟା ପାଣି ଆସିଥିବାରୁ ଏହାର ଶାଖାନଦୀ ଗୁଡିକରେ ସେହି ବନ୍ୟା ଜଳ ପ୍ରବାହିତ ହେଉଛି । ମହାନଦୀର ଶାଖା ନଦୀ ଗୁଡିକ ମଧ୍ୟରେ ଲୁଣା ଓ ଚିତ୍ରୋତ୍ପଳା ନଦୀଦ୍ୱାରା ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତର ୬୦ଟି ଗ୍ରାମ ଜଳମଗ୍ନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ୭୦ହଜାର ୨୩୧ ଲୋକ ପ୍ରଭାବିତ ହୋଇଛନ୍ତି । ଗୋଟିଏ ଗ୍ରାମ ଗୁରୁବାର ରାତିଠାରୁ ପାଣିଘେରରେ ରହିବା ଫଳରେ ସେହି ଗ୍ରାମର ୧୪୦ ଲୋକ ଏବଂ ଶୁକ୍ରବାର ଆଉ ଗୋଟିଏ ଗ୍ରାମ ପାଣିଘେରରେ ରହିବା ଦ୍ୱାରା ସେହିଗ୍ରାମର ୧୨୦ ଲୋକ ବିପନ୍ନ ହୋଇପଡିଛନ୍ତି । ପୂର୍ବରୁ ୪ଟି ବାତ୍ୟା ଆଶ୍ରୟସ୍ଥଳରେ ୩୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଥିବା ବେଳେ ଆଜି ୨ଟି ବାତ୍ୟା ଆଶ୍ରୟସ୍ଥଳରେ ୨୩୨ଲୋକଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି । ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳରେ ଥଇଥାନ ହୋଇଥିବା ଲୋକଙ୍କ ପାଇଁ ୫ଟି ମାଗଣା ଭୋଜନ କେନ୍ଦ୍ର ଖୋଲା ଯାଇଥିବାବେଳେ ଶୁକ୍ରବାର ଆଉ ୩ଟି ଭୋଜନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି । ସେମାନଙ୍କୁ ୩ଦିନ ପାଇଁ ମାଗଣା ଖାଦ୍ୟ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ବନ୍ୟା ଦ୍ୱାରା ୪୧ଟି ବଡ ଗାଈ ଓ ବଳଦ ଏବଂ ୯୦ଟି ଛୋଟ ବାଛୁରୀ ପ୍ରଭାବିତ ହୋଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ ରହିଥିବା ଲୋକମାନଙ୍କ ପାଇଁ ୪୬ କ୍ୱିଣ୍ଟାଲ ଚୁଡା, ୪.୮୦କ୍ୱିଣ୍ଟାଲ ଗୁଡ ପଠାଯିବା ସହ ୨ଟି ଆଶ୍ରୟ ସ୍ଥଳକୁ ଯଥାକ୍ରମେ ୧୬୦କାର୍ଟୁନ ବିସ୍କୁଟ, ୧ଲିଟିରିଆ ପାଣି ଥିବା ୫ଶହ ବୋତଲ ଏବଂ ୩ହଜାର ପାଉଚ୍ ପାଣି ପ୍ୟାକେଟ ଯୋଗାଇ ଦିଆଯାଇଥିବା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ପାଖକୁ ୩ଟି ମେଡିକାଲ ଟିମ୍ ଏବଂ ୬ଟି ପଶୁଚିକିତ୍ସା ଦଳ ପଠାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି ।

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ