ସମ୍ଭାବ୍ୟ ବାତ୍ୟା “ଦାନା” ମୁକାବିଲା ପାଇଁ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପ୍ରସ୍ତୁତି ଜୋର୍‍ଦାର

ଆସିକା, (ଯୁଗାବ୍ଦ ନ୍ୟୁଜ):ସମ୍ଭାବ୍ୟ ବାତ୍ୟା “ଦାନା” ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୂଦ୍ରିକ ଝଡ “ଦାନା”ର ପ୍ରଭାବରେ ବାତ୍ୟା ଓ ଭୀଷଣ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଆସିକା ଚିନିଶିଳ୍ପ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ନ ସାମୂଦ୍ରିକ ଝଡ “ଦାନା”ର ମୁକାବିଲା ପାଇଁ ମଙ୍ଗଳବାର ସମବାୟ ଚିନିଶିଳ୍ପ ପରିସରରେ ଏକ ପ୍ରସ୍ତୁତି ବୈଠକ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଇଂ ଅରୁଣ କୁମାର ପାତ୍ର, ସୁରକ୍ଷା ଅଧିକାରୀ ଜଗଦିଶ ପାତ୍ର, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ପାତ୍ର, ନିରାପତ୍ତା ଅଧିକାରୀ ୟାଲୋମା ରାମ ପ୍ରସାଦ, କ୍ରୟ ଅଧିକାରୀ ଦିଲୀପ କୁମାର ଗୌଡ ପ୍ରମୁଖ ଯୋଗଦେଇ ବାତ୍ୟା ସଂପର୍କିତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସାଙ୍ଗକୁ ଜିରୋ କାଜୁଆଲଟି ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ଭାବ୍ୟ ବାତ୍ୟାର ପୂର୍ବ ଓ ପରବର୍ତ୍ତୀ ସମୟକୁ କିଭଳି ଭାବେ ସୁପରିଚାଳନା କରାଯିବ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା । ଅତୀତରେ ଆସିକା ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବରେ ହୋଇଥିବା ଏକାଧିକ ବାତ୍ୟା ଓ ବନ୍ୟାରେ ସମବାୟ ଚିନିଶିଳ୍ପର ପ୍ରଭୁତ କ୍ଷତି ଘଟିଥିବା ନଜିର୍‍ ରହିଛି । ତେଣୁ ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିକୁ ରଖି ମୁକାବିଲା ପାଇଁ ସମବାୟ ଚିନିଶିଳ୍ପ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ସାମୂଦ୍ରିକ ଝଡ ଦାନାର ପ୍ରଭାବରେ ଯଦି ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଅଞ୍ଚଳରେ ପବନ ଓ ବର୍ଷା ହୁଏ ତେବେ ଆଖୁଫସଲ ବିଶେଷ ଭାବେ ନଷ୍ଟ ହେବା ସମ୍ଭାବନା ରହିଛି । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସନ୍ନ ବାତ୍ୟା ଓ ବର୍ଷାକୁ ନେଇ ଆସିକା ସମବାୟ ଚିନିଶିଳ୍ପର ସମସ୍ତ କର୍ମଚାରୀ ସଜାଗ୍‍ ହୋଇରହିବା ସହ ଆଖୁଫସଲର ସ୍ଥିତି ଓ ସୁରକ୍ଷା ଉପରେ ସମସ୍ତେ ଗୁରୁତ୍ୱ ଦେବା ସାଙ୍ଗକୁ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଶିଳ୍ପାନୁଷ୍ଠାନର ସୁରକ୍ଷାକୁ ସମବାୟ ଚିନିଶିଳ୍ପ ସର୍ବାଧିକ ପ୍ରାଥମିକତା ଦେବା ସହ ସମ୍ଭାବ୍ୟ ବାତ୍ୟା ପାଇଁ ହାଇଆଲର୍ଟରେ ରହିଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ସମୟରେ ଚିନିଶିଳ୍ପର ମୂଲ୍ୟବାନ୍‍ ଯନ୍ତ୍ରାଂଶର ସୁରକ୍ଷା ସାଙ୍ଗକୁ ଉତ୍ପାଦିତ ଚିନି ଓ ବୋତଲ୍‍ ମଦକୁ ସୁରକ୍ଷିତ ରଖିବା, ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଡିଜେଲ୍‍ ଓ ଜେରେଟର୍‍ ମହଜୁଦ୍‍ ରଖିବା, ପାନୀୟ ଜଳଯୋଗାଣର ସୁବନ୍ଦୋବସ୍ତ କରିବା, ଅସୁରକ୍ଷିତ ଘରେ ରହୁଥିବା କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଚିନିଶିଳ୍ପ ହାଇସ୍କୁଲରେ ଆଶ୍ରୟସ୍ଥଳୀ ଖୋଲିବା, ନିରାପତ୍ତା ବିଭାଗ ଏବଂ ସିଭିଲ୍‍ ବିଭାଗ ଓ ବିଦ୍ୟୁତ ବିଭାଗର ମିଳିତ ସହଯୋଗରେ ଜରୁରୀକାଳୀନ ଟିମ୍‍ ଗଠନ କରି ସେବା ଯୋଗାଇଦେବା ସମେତ ବିଭିନ୍ନ ବିଷୟ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ