ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଶରତ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି ବାର୍ଷିକ ଉତ୍ସବ ସମାରୋହରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ବିଶ୍ବଜିତ ଘୋଷ, ପୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଅବସର ପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ଗୋପ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରମେଶ ଚନ୍ଦ୍ର ଜେନା, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ରଥ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ବିଦ୍ୟାଳୟ ହେଉଛି ଏକ ଉତ୍ତମ ଛାତ୍ର ଛାତ୍ରୀ ନିର୍ମାଣ କରିବାର ମନ୍ଦିର। ଏହା ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟାଇବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଗୁରୁ ଦାୟିତ୍ବ ସଂପାଦନ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାଏ। ଏହି ବିଦ୍ୟାଳୟ ବିଗତ ବର୍ଷ ମାନଙ୍କରେ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସମଗ୍ର ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆଗକୁ ଆଗ ବଢି ଚାଲିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ବାର୍ଷିକ ବିବରଣୀ ପାଠ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବାର୍ଷିକ ଉତ୍ସବ ସମାରୋହରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଓଡିଶୀ, ପାଇକ ଆଖଡା, ସାନ୍ତାଳି ନୃତ୍ୟ, ଆଦିବାସୀ ନୃତ୍ୟ ସହ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚେତନା ଧର୍ମୀ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂଗୀତ ଶିକ୍ଷକ ଭାଗୀରଥୀ ପାଇକରାୟ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସତ୍ଯ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସତ୍ୟ ସୁନ୍ଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଭୟମଲ୍ଲ,ଶିକ୍ଷକ ଅର୍ଜୁନ ଦଳାଇ, ଗୌରୀ ଶଙ୍କର ଜେନା, ଶିକ୍ଷୟିତ୍ରୀ ଶିଲ୍ଲା ଭଟ୍ଟ, ସୁଲୋଚନା ବେହେରା, ଦୀପିକା ଜେନା ଓ ଆଶାଲତା ବେହେରା ପ୍ରମୁଖ ପରିଚାଳନା କରିଥିଲେ।


