ସରକାରୀ ଗାଡ଼ି ଚାଳକ ମହାସଙ୍ଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା): ବିଭିନ୍ନ ସରକାରୀ ବିଭାଗରେ ଗାଡ଼ି ଚଳାଉଥିବା ଚାଳକଙ୍କ ଅସୁରକ୍ଷିତ ଜୀବନ ଓ ଜୀବିକାକୁ ନେଇ ‘ଓଡିଶା ଗାଡ଼ିଚାଳକ ମହାସଂଘ’ ଉଦବେଗ ପ୍ରକାଶ କରିଛି । ମହାସଂଘର ବାଲେଶ୍ୱର ଜିଲା ଶାଖା କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ ସହ ସାମ୍ପ୍ରତିକ ସ୍ଥିତିରେ ସେମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ବିଭିନ୍ନ ସମୟରେ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା କାରଣରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ, ଗାଡ଼ି ରଖିବା ପାଇଁ ଏବଂ ଚାଳକଙ୍କ ବିଶ୍ରାମ ପାଇଁ ଉପଯୁକ୍ତ ସ୍ଥାନ ସହ ବିଶ୍ରାମାଗାର ଓ ଶୌଚାଳୟର ବ୍ୟବସ୍ଥା କରିବା, ୫୫ ବର୍ଷ କାର୍ଯ୍ୟ ପରେ ସମସ୍ତଙ୍କୁ ଭତ୍ତା ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କ ପରିବାରକୁ ୨୦ ଲକ୍ଷ ଏବଂ ଅକ୍ରମଣ୍ୟ ହେଉଥିବା ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ବୀମାରାଶି ସହ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ସଙ୍ଗଠନପକ୍ଷରୁ ଦାବି କରାଯାଇଛି । ପୂର୍ବରୁ ଏହି ଦାବି ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହୋଇଥିଲେ ବି ଅଦ୍ୟାବଧି କୌଣସି ସୁବିଧା ସୁଯୋଗ ମିଳିନଥିବା ମହାସଙ୍ଘର କର୍ମକର୍ତ୍ତାମାନେସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ସରକାର ଏନେଇ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଭରତ କୁମାର ମଲିକ, ବାସୁଦେବ ସ୍ୱାଇଁ, ସୁବାସ ମଣ୍ଡଳ, ରାଜେନ୍ଦ୍ର ନାଥ ସାହୁ, ଚନ୍ଦନ ଭଟ୍ଟାଚାର୍ଯ୍ୟ, ବିଜୟ ବେହେରା, ହରିହର ଘଢାଇ, ପ୍ରଶାନ୍ତ ସାହୁ, ବାବୁନି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।