ସରକାରୀ ନିୟମକୁ ଖୋଲା ଉଲଘଂନ କରି ପୋଡା ଚାଲିଛି ଇଟାଭାଟି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ଇଟାଭାଟି ଗୁଡିକ ଉପରେ ରୋକ ଲଗାଯାଇଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ତହିସଲ ଅଂଚଳରେ ବେଆଇନ ଭାବେ ବହୁ ଇଟାଭାଟିରେ ଇଟା ପୋଡା ଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଟା ବ୍ୟବସାୟୀମାନେ ସରକାରୀ ସ୍ଥାନ ଜବରଦଖଲ କରି ଇଟା ପକାଇ ପୋଡୁଥିବା ବେଳେ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ବ୍ଳକର ଅରଖକୁଦ-ହରିଶପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ପାଶ୍ୱର୍ ଅରଖକୁଦ ନିକଟରେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାର ଅରଖକୁଦ ବଡଦଣ୍ଡା ଖେଳ ପଡିଆ ନିର୍ମାଣ କରାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି । ଏହି ଫଳକ ନିକଟକୁ ଲାଗି ଇଟା ପକାଯାଇ ପୋଡା ଯାଉଛି । ସେହିପରି ବାଂଶରୁ ବୋଦଳ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଶ୍ୱର୍ରେ ଇଟା ପକାଯାଇ ପୋଡା ଯାଉଛି । କେବଳ ସେତିକି ନୁହେଁ ଏହି ବ୍ଳକର ୧୬ଟି ପଂଚାୟତର ମୁଖ୍ୟ ରାସ୍ତା ନାଉଗାଁ-ଅରଖକୁଦ,ଶିଖର-ଡେରିକି, ଅଙ୍ଗେଶ୍ୱରପଡା-ଓଷକଣା, କୋକିଢିହ-ତେଲସରା, ଗାରୋଇ-ଡାହାଣିଖିଆ, ଜଗରାଜପୁର-ନୂଆପାରି ସେହିପରି ଅନ୍ୟାନ୍ୟ ମୁଖ୍ୟ ତଥା ଗ୍ରାମ୍ୟ ରାସ୍ତା ପାଶ୍ୱର୍ରେ ଇଟା ପୋଡା ଯାଉଛି । ଇଟା ବ୍ୟବସାୟୀମାନେ ଖୁଲମ ଖୁଲା ଭାବେ ଜନବସତି ନିକଟରେ ଇଟା ପୋଡୁଥିବା ବେଳେ ସରକାରୀ ନିୟମକୁ ଖୋଲା ଉଲଘଂନ କରୁଛନ୍ତି । ତାପମାତ୍ର ବୃଦ୍ଧି ସାଙ୍ଗକୁ ଇଟାଭାଟି ଧୂଆଁରେ ଜନସାଧାରଣ କଲବଲ ହେଉଥିବା ସ୍ଥାନୀୟ ବାସନ୍ଦା ମତବ୍ୟକ୍ତ କରୁଛନ୍ତି । ସରକାରୀ ନିୟମକୁ ଉଳଘଂନ କରୁଥିବା ଇଟା ଭାଟି ଗୁଡିକ ଉପରେ ପ୍ରଶାସନିକ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଅନ୍ୟ ପାଶ୍ୱର୍ରେ ସ୍ଥାନୀୟ ରାଜସ୍ୱ ଅଧିକାରୀ ମାନେ କମ୍ ପରିମାଣର ଇଟା ଦର୍ଶାଇ ରାଜସ୍ୱ କାଟୁଥିବା ନେଇ ସ୍ଥାନୀୟ ଲୋକ ନାମ ଗୋପନ ରଖି କହିଛନ୍ତି । ଏ ସଂପର୍କରେ ନାଉଗାଁ ତହସିଲଦାର ଶିବାଶିଷ ପରିଡା ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ