ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ସଭାରେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁରର ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢୀ ମୁଖ୍ୟ ଅତିଥି ଏବଂ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁରର ନିର୍ଦ୍ଦେଶକ ସୁଶାନ୍ତ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି ଶିକ୍ଷା କ୍ଷେତ୍ରରେ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ଅଧ୍ୟାପକ/ ଅଧ୍ୟାପିକାମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରିବା ସହିତ ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି ତଥା ଓଡ଼ିଆ ଭାଷା ପ୍ରତି ସମାଜର ଦାୟିତ୍ୱବୋଧ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ. ପାଢୀ ତାଙ୍କ ଅଭିଭାଷଣରେ କହିଥିଲେ ଓଡ଼ିଆ ଭାଷାର ବିକାଶ ପ୍ରତ୍ୟେକ ଓଡ଼ିଆର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ । କେବଳ ଶିକ୍ଷକ/ ଶିକ୍ଷୟିତ୍ରୀ କିମ୍ବା ଅଧ୍ୟାପକ/ ଅଧ୍ୟାପିକା ହୋଇଗଲେ ହେବନାହିଁ ବରଂ ଶିକ୍ଷାଦାନ ସମୟରେ ଓଡ଼ିଆ ଶବ୍ଦର ବ୍ୟବହାର, ପ୍ରାଞ୍ଜଳ ବାକ୍‌ପ୍ରତିମା ରହିବା ଆବଶ୍ୟକ । ତେବେ ଯାଇ ଛାତ୍ରଟିଏ ପାଠ ପ୍ରତି ଏବଂ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ ହେବ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁଶାନ୍ତ ଦାସ ଶ୍ରେଣୀ ଗୃହର ଶିକ୍ଷାଦାନ ବିଷୟରେ ଆଲୋଚନା କରିବା ସହିତ ଓଡ଼ିଆ ଭାଷାର ଅନେକ ଅନାଲୋଚିତ ବିଷୟ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ବିଶିଷ୍ଟ ନାଟ୍ୟକାର ଡ. ସଞ୍ଜୟ ହାତି, ଭଞ୍ଜସାହିତ୍ୟ ସମାଲୋଚକ ଡ. ଲମ୍ବୋଦର ପାଣିଗ୍ରାହୀ, ଆଧୁନିକ କବିତାର ବିଶିଷ୍ଟ ସମାଲୋଚକ ଡ. ବେଣୁଧର ପାଢୀ, ସମାଲୋଚକ ଡ.ହୃଷିକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ସଭା ଶେଷରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଅଧ୍ୟାପକ/ ଅଧ୍ୟାପିକାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ସୁରଚିତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କଲାବେଳେ, ଓଡ଼ିଆ ବିଭାଗ ମୁଖ୍ୟ ଡ. ଇମ୍‌ତିହାନ୍‌ ଶହା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ