ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଭାରତୀୟ ମାନକ ବ୍ୟୁରୋର ଏକ ଦିବସୀୟ ସ୍ୱତନ୍ତ୍ର ଆଲୋଚନା ଚକ୍ର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ସମ୍ମିଳନୀ କକ୍ଷରେ ତା.୧୮.୦୧.୨୦୨୫ ରିଖ ‘କ୍ୱାଲିଟି ଇକୋସିଷ୍ଟମ ଏଣ୍ଡ ଷ୍ଟାଣ୍ଡାଡ଼ାଇଜେସନ’ ଶୀର୍ଷକ ଏକ ଦିବସୀୟ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର, ଆଇକ୍ୟୁଏସି ସେଲ୍, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଏବଂ ମଡର୍ଣ୍ଣ ଟେଷ୍ଟ ସେଣ୍ଟର, ବ୍ରହ୍ମପୁରର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏଥିରେ ଶ୍ରୀଯୁକ୍ତ ଶୁଭଦୀପ ବାସୁ, ନିର୍ଦ୍ଦେଶକ ଏବଂ ମୁଖ୍ୟ, ଭାରତୀୟ ମାନକ ବ୍ୟୁରୋ, କୋଲକତା, ଶ୍ରୀଯୁକ୍ତ ଏ.କେ. ପୁରୋହିତ, ନିର୍ଦ୍ଦେଶକ ଏବଂ ମୁଖ୍ୟ ଭାରତୀୟ ମାନକ ବ୍ୟରୋ, ଭୁବନେଶ୍ୱର ଏବଂ ଶ୍ରୀ ରାଜେନ୍ଦ୍ର ପଣ୍ଡା, ସି.ଇ.ଓ., ମଡର୍ଣ୍ଣ ଟେଷ୍ଟ ସେଣ୍ଟର, ବ୍ରହ୍ମପୁର ପ୍ରମୁଖ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇଥିଲେ । ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଆନୁଷ୍ଟାନିକ ଭାବରେ ଉଦ୍ଘାଟନ କରି ଭାରତୀୟ ମାନକ ବ୍ୟୁରୋର କାର୍ଯ୍ୟପନ୍ଥା ତଥା ଉପଭୋକ୍ତାଙ୍କ ବିଭିନ୍ନ ଉତ୍ପାଦର ଗୁଣବତ୍ତା ନିର୍ଦ୍ଧାରଣ ତଥା ତାର ସୁରକ୍ଷା ବ୍ୟବସ୍ଥା ଦିଗରେ କିପରି କାର୍ଯ୍ୟକରୁଅଛି ତାହା ଆଲୋଚନା କରିଥିଲେ । ଆଲୋଚନା ଚକ୍ରର ବିଷୟ ବିଶେଷଜ୍ଞ ଶ୍ରୀଯୁକ୍ତ ବାସୁ ସାଧାରଣ ବ୍ୟବସାୟୀ ଖାଉଟିଙ୍କୁ ଆକୃଷ୍ଟ କରିବା ନିମନ୍ତେ କିପରି ବିଶେଷ କଳାକୌଶଳ ଆପଣେଇଥାନ୍ତି, ଯାହା ଫଳରେ ଉପଭୋକ୍ତା ଜଣଙ୍କ ତାଙ୍କ ଉତ୍ପାଦ କିଣିବା ଦିଗରେ ଆକୃଷ୍ଟ ହୋଇଥାଏ ସେ ବିଷୟରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପୁରୋହିତ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ବୈଷୟିକ ପରିବର୍ତ୍ତନ ଏବଂ ବିଭିନ୍ନ ଉତ୍ପାଦ କ୍ଷେତ୍ରରେ ଭାରତୀୟ ମାନକ ବ୍ୟୁରୋର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ପଣ୍ଡା ଭାରତୀୟ ମାନକ ବ୍ୟୁରୋ ଏବଂ ଆଇଏସ୍ଓ ସଂସ୍ଥା କେଉଁଭଳି ଭାବରେ ଖାଉଟିଙ୍କ ସୁରକ୍ଷା ତଥା ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଉତ୍ପାଦ ଆଦିର ବିକ୍ରୟ ତଥା ତାର ଶୁଦ୍ଧତା ଦିଗରେ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଡ. ରଘୁନାଥ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଆଇକ୍ୟୁଏସି କୋଡିନେଟର୍ ଡ.ସୁଚିସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଡ.ପ୍ରଣତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟାପକ ଡ. ପ୍ରଭାକର ପାଢୀ ଏବଂ ଡ. ଅଜିତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।