ସରକାର କାହିଁକି ଏତେ ତତ୍ପର?
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଅବସରପ୍ରାପ୍ତ ପାରା ମେଡ଼ିକାଲ ଷ୍ଟାଫଙ୍କୁ ପୁନଃ ନିଯୁକ୍ତି କରିବା ପ୍ରତିବାଦରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ରୋଟାରୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମୋ ସରକାର ଯୋଜନାରେ ରାଜ୍ୟ ସରକାର ୫-ଟି ଯୋଜନା ଲାଗୁ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉକ୍ତ ଯୋଜନାଟି ଓଡ଼ିଶାବାସୀଙ୍କ ପାଇଁ ସ୍ୱାଗତଯୋଗ୍ୟ । ୫-ଟି ମଧ୍ୟରୁ ସରକାର ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରାଧାନ୍ୟ ଦେଇଥାନ୍ତି । କାରଣ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଥମେ ଚିକିତ୍ସା ହିଁ ପ୍ରଥମ? ସେହି ଯୋଜନାରେ ସରକାରଙ୍କ ଏକ ନିୟମ ଅଛି ଯେ, ୬୦ ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଅବସର ଦିଆଯାଇଥାଏ । ଯଦି ସରକାରଙ୍କ ନିୟମ ଅଛି ଯେ, ୬୦ ବର୍ଷରେ ଅବସର ନେବେ, ତେବେ ପୁନଃ ନିଯୁକ୍ତି ଦେବା ପାଇଁ ସରକାର କାହିଁକି ଏତେ ତତ୍ପର? ଯେଉଁମାନେ ୨୦୦୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସରକାରୀ ବା ବେସରକାରୀ ଟ୍ରେନିଂ ଶେଷ କରି ଘରେ ବେକାର ହୋଇ ବସିଛନ୍ତି, ସେମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି ।
ଦ୍ୱିତୀୟ କଥା ହେଲା ରାଜ୍ୟରେ ଏବେ ଛତୁ ଫୁଟିଲା ଭଳି ଘରୋଇ ଏ.ଏନ୍.ଏମ୍ ଟ୍ରେନିଂ ସେଣ୍ଟରମାନ ଖୋଲାଯାଉଛି । ଏହାର ଉଦ୍ଦେଶ୍ୟ କ’ଣ? ଗୋଟିଏ ପଟେ ସରକାରଙ୍କର ସରକାରୀ ତାଲିମ କେନ୍ଦ୍ରରେ ତାଲିମ ଶେଷ କରି ବର୍ଷ ବର୍ଷ ଧରି ବେକାର ହୋଇ ବୁଲୁଥିବା ବେଳେ ସରକାର ଏପ୍ରିଲ ମାସରୁ କାଉନ୍ସେଲିଂ କରିବା ପରିବର୍ତ୍ତେ ଏବେ କେଉଁ ଉଦ୍ଦେଶ୍ୟ ନେଇ ପୁଣି କାଉନସେଲିଂ କରିବାକୁ ନୋଟିସ୍ କରିଛନ୍ତି । କିନ୍ତୁ ଆମେ ପାଠ ପଢିବାକୁ ବିରୋଧ କରୁନାହୁଁ, ପଢା ଶେଷ କରିବା ପରେ ଯେଉଁ ଧନ୍ଦାମୂଳକ ତାଲିମ ନେଉଛନ୍ତି, ତାଲିମ ଶେଷ କରିବା ପରେ ସରକାର ନିଯୁକ୍ତିି ଦେବାରେ ଅକ୍ଷମତାକୁ ସଂଘ ତରଫରୁ ଦୃଢ ନିନ୍ଦା କରାଯାଉଛି । ଯଦି ଏଭଳି ପଦକ୍ଷେପ ସରକାର ନିଅନ୍ତି, ତେବେ ଅକ୍ଟୋବର ୨୪ ତାରିଖରୁ ଯେଉଁ କାଉନ୍ସେଲିଂ ପ୍ରକ୍ରିୟା ରଖିଛନ୍ତି ତାକୁ ସବୁ ଜିଲ୍ଲାରେ ଦୃଢ ବିରୋଧ କରାଯିବ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡାଇ, ସମ୍ପାଦିକା ସଂଯୁକ୍ତା ସାହୁ, ସୋନାଲି ମହାନ୍ତି, କଲ୍ୟାଣୀ ପ୍ରଧାନ ସମେତ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।


