ସରପଞ୍ଚଙ୍କ ଦବଙ୍ଗଗିର
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ଶନିବାର ରାତି ୯ଟା ବେଳେ ବନ୍ତ ଥାନା ଅଧିନ ନିଳୋକ ବଜାରରେ ସରପଞ୍ଚ ଅଶୋକ ମହାନ୍ତିଙ୍କ ଦବଙ୍ଗ ଗିରି ଦେଖିବାକୁ ମିଳିଛି । ବିଦ୍ୟୁତ୍ ଜାଳିବାକୁ ନେଇ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ଜାତିଆଣ ଆକ୍ଷେପ କରିଥିବା ବେଳେ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକଙ୍କ ଠାରୁ ମୋବାଇଲ ଫୋନ୍ ଛଡାଇ ନେବାକୁ ପଛାଇ ନାହାନ୍ତି । ଏଥିସହ ସରପଞ୍ଚଙ୍କ ସମର୍ଥକ ମାନେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ନିଳୋକ ଗ୍ରାମରେ ବିଦ୍ୟୁତ୍ ଜଳିବାକୁ ନେଇ ସରପଞ୍ଚ ନିଳୋକ ଗାଁର ଲୋକ ମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ସରପଞ୍ଚଙ୍କ ଏପରି ବ୍ୟବହାରକୁ ନିଳୋକ ଗ୍ରାମର ରମେଶ ଯେନା ବାରଣ କରିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ମାରଧର କରାଯାଇଥିଲା । ସେହିପରି ରମେଶଙ୍କ ସାଥିରେ ଥାନାକୁ ଯାଇଥିବା ପଞ୍ଚାନନ ଦାସଙ୍କୁ ସରପଞ୍ଚଙ୍କର ସମର୍ଥକ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ତଦନ୍ତ କରୁଥିବା ବେଳେ ଖବର ସଂଗ୍ରହ କରୁଥିବା ଜନୈକ ସାମ୍ବାଦିକଙ୍କ ଠାରୁ ସରପଞ୍ଚ ମୋବାଇଲ ଛଡାଇ ନେଇଥିବାର ଅଭିଯୋଗ ଥାନାରେ ହୋଇଛି । ପୋଲିସ ୩ଟି ଅଭିଯୋଗ ପାଇ ଘଟଣା ସଂପର୍କରେ ତଦନ୍ତ କରୁଥିବା ବେଳେ କାହାରିକୁ ଗିରଫ କରିନାହିଁ ।