ସରପଞ୍ଚଙ୍କ ଦ୍ଵାରା ଅବହେଳାର ଶିକାର ପ୍ରତିବାଦରେ ଶତାଧିକ ମହିଳାଙ୍କ ମଧୁବନ ଠାରେ ରାସ୍ତାରୋକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ହଦଗଡ଼ ପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ଅବହେଳା ପ୍ରଦର୍ଶନ କରାଯିବା ପ୍ରତିବାଦ ରେ ଆଜି ମଧୁବନ, ହରଡ଼ବାଡି, ଶଙ୍କଟପାଲିଆ ଆଦି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନଶକ୍ତିର ମହିଳା ମାନେ ଆଜି ଛେନାପଦି-ହଦଗଡ଼ ରାସ୍ତାର ମଧୁବନ ନିକଟରେ ରାସ୍ତା ରୋକ କରିଥିଲେ। ସେମାନଙ୍କ ଅଭିଯୋଗ ଯେ ହଦଗଡ଼ ପଞ୍ଚାୟତରେ ହେଉଥିବା କାର୍ଯ୍ୟକ୍ରମରେ ଏହି ଗାଁର ମହିଳା ମାନଙ୍କୁ ସାମିଲ କରାଯାଉ ନାହିଁ କି ସମ୍ମାନିତ କରାଯାଉ ନାହିଁ। ଏପରିକି ସେମାନେ ଆଜି ପର୍ଯ୍ୟନ୍ତ ସରପଞ୍ଚ କିଏ ବୋଲି ଜାଣି ପାରିଲେନି ବୋଲି ଅଭିଯୋଗ କରିଥିଲେ। ଆଜି ହଦଗଡ଼ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହେଉଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଇଛି। ତେଣୁ ମଞ୍ଜୁ ନାଇକ, କୁନ୍ତଳା ନାଇକ, ଯଶୋଦା ନାଇକ, ଇନ୍ଦୁମତି ନାଇକ, ଯଶୋଦା ନାଏକ, ସୁକାନ୍ତି ନାଇକ, ସାରିଆ ନାଇକ, ସୁବାସିନୀ ନାଇକ, ମୋତି ନାଇକ, ଆଶାଲତା ନାଇକ, ପଦ୍ମାବତୀ ଶତପଥୀ, ଲୀଳାବତୀ ନାଏକ, ଝରଣା ନାଏକଙ୍କ ସମେତ ୨୫ଟି ଏସ ଏସ ଜି ଗ୍ରୁପର ସମସ୍ତ ସଦସ୍ୟାମାନେ ଉତ୍ତେକ୍ତ ହୋଇ ଛେନାପଦି- ହଦଗଡ଼ ରାସ୍ତାକୁ ଅବରୋଧ କରିଥିଲେ। ଏପରିକି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସେମାନଙ୍କୁ ବୁଝାସୁଝା କରିଥିଲେ ବି ସରପଞ୍ଚ ଆସୁ ଆମେ ଯିବୁ ବୋଲି ଜିଦ ରେ ଅଟଳ ରହିଥିଲେ। ପରେ ସେହି ରାସ୍ତାଦେଇ ଯାଉଥିବା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଘଟଣା ସ୍ଥଳରେ ଓଲ୍ହାଇ ମହିଳାଙ୍କୁ ବୁଝାସୁଝା କରିବା ପରେ ମହିଳା ମାନେ ରାସ୍ତାରୋକରୁ ଉଠିଥିଲେ। ଏପରିକି ବ୍ଲକ ଅଧ୍ୟକ୍ଷା ଙ୍କ ସହ ଦୀର୍ଘ୨କିଲୋମିଟର ବାଟ ସାଙ୍ଗରେ ଚାଲି ଚାଲି ସଚେତନତା ଶିବିର ନିକଟକୁ ଯାଇଥିଲେ। ଏ ସମ୍ପର୍କରେ ସରପଞ୍ଚ ନିରୂପମା ନନ୍ଦିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେମାନଙ୍କୁ ଅଣଦେଖା କରାଯାଇନି।ଭୁଲ ବୁଝାବଣା ରୁ ଏପରି ହୋଇଛି ବୋଲି କହିଥିଲେ।