ସରପଞ୍ଚଙ୍କ ସ୍ୱାମୀ ଓ ପୁଅକୁ ମାଡ, ଗାଡି ଛଡାଇନେଲେ, ଥାନାରେ ପୃଥକ ପୃଥକ ଅଭିଯୋଗ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଦୀର୍ଘଦିନ ଧରି କାମ କରି ବିଲ ପାଉ ନଥିବାରୁ କାମ କରିଥିବା କିଛି ଠିକାଦାର ସୋସୋ ସରପଞ୍ଚଙ୍କ ସ୍ୱାମୀଓ ପୁଅକୁ ମାଡ ମାରିବା ସହ ଗାଡି ଛଡାଇ ନେଇଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗ୍ରାମର କିଛି ଲୋକ ପଞ୍ଚାୟତ ଅନୁଦାନରୁ ବିଭିନ୍ନ ଉନ୍ନୟନ କାମ କରିଥିଲେ । ମାତ୍ର ନୁତନ ବିଡିଓ ଯୋଗଦାନ କରିବାପର ଠାରୁ ପଞ୍ଚାୟତ କାର୍ଯ୍ୟର କୌଣସି ବିଲ ହୋଇପାରୁ ନଥିବାବେଳେ ପିଇଓଙ୍କ ବଦଳି ହୋଇଯାଇଥିଲା । ବହୁ ବିଳମ୍ବ ହେବାରୁ କାମ କରିଥିବା ଠିକାଦାର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଗତକାଲିି କିଛି ଠିକାଦାର ଦିନ ଗୋଟାଏ ବେଳେ ସରପଞ୍ଚଙ୍କ ପୁଅ ବ୍ଲକରୁ ଘରକୁ ଫେରୁଥିବାବେଳେ ବାଟରେ ତାଙ୍କୁ ଠେଲାପେଲା କରି ତାଙ୍କଠାରୁ ବାଇକଟି ଛଡାଇ ନେଇ ତାଙ୍କ ଘର ପାଖକୁ ଯାଇ ପ୍ରବଳ ଗାଳି ଗୁଲଜ କରିଥିଲେ । ଜାତିଆଣ ଆକ୍ଷେପକରି ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲେ । ଏହାର କିଛିସମୟ ପରେ ସରପଞ୍ଚଙ୍କ ସ୍ୱାମୀ ଅମିନ ନାଇକ ଗାଁର ଜଣେ ଭଦ୍ରବ୍ୟକ୍ତିଙ୍କ ପାଖକୁ ଯାଇଥିବାବେଳେ ଆକ୍ରମଣକାରୀ ମାନେ ସେଠାରେ ଅମିନଙ୍କୁ ପ୍ରବଳ ପିଟାପିଟି କରିଥିଲେ ବୋଲି ସରପଞ୍ଚ କାଞ୍ଚନ ନାଇକ ସୋସୋ ଥାନାରେ ବାଇଧର ରାଉତ, ଟୁବୁଲା ରାଉତ, ପ୍ରଣବ ମହାନ୍ତି, ବିଶୁ ରାଉତ ପ୍ରମୁଖଙ୍କ ନାମରେ ଅଭିଯୋଗ କରିଛନ୍ତି । ସୋସୋ ପୁଲିସ ଥାନା କେସନଂ ୮୧/୨୦୧୯ରେ ଏକ ମାମଲା ରୁଜୁ କରିଥିବାବେଳେ ଅନ୍ୟପକ୍ଷରେ ବିଶୁ ରାଉତ ସରପଞ୍ଚଙ୍କ ସ୍ୱାମୀ ଅମିନ ନାଇକ, ପୁଅ ପ୍ରସନ୍ନ ନାଇକ, ଓ ଗ୍ରାମର ଅନ୍ୟ ଦୁଇଜଣ ବ୍ୟକ୍ତି ଙ୍କ ତାଙ୍କ ସ୍ତ୍ରୀଙ୍କୁ ଟଣା ଘୋଷରା କରିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି । ଏହାକୁନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।