ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ : ପୁରୁଷଙ୍କ ତୁଳନାରେ ଅଧିକ ମତଦାନ କଲେ ମହିଳା ଭୋଟର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ଶେରଗଡ, ଦିଗପହଣ୍ଡି, ପୋଲସରା ଓ କୁକୁଡାଖଣ୍ଡି ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବ୍ଳକର ୩ଟି ଜିଲ୍ଲା ପରିଷଦ ଜୋନ ସମେତ ୨୧ଟି ପଞ୍ଚାୟତର ସରପଞ୍ଚ, ସମିତିମେମ୍ବର ଓ ୩୦୭ଟି ୱାର୍ଡମେମ୍ବର ପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ୪ଟି ପଞ୍ଚାୟତରେ ସରପଞ୍ଚ ପଦବୀ ଓ ୮ଟି ପଞ୍ଚାୟତର ସମିତିମେମ୍ବର ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସଂପୃକ୍ତ ପଞ୍ଚାୟତର ପଦବୀ ଗୁଡିକ ଅପ୍ରତିଦ୍ୱନ୍ଦୀ ହୋଇଥିଲା । ଅବଶିଷ୍ଟ ୧୭ ପଞ୍ଚାୟତରେ ସରପଞ୍ଚ ପଦବୀ ସକାଶେ ୬୬ ଜଣ ଓ ସମିତିସଭ୍ୟ/ ସଭ୍ୟା ପଦବୀ ସକାଶେ ୪୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତିି । ସେହିପରି ୩ଟି ଜିଲ୍ଲା ପରିଷଦ ଆସନ ସକାଶେ ୧୨ଜଣ(ବିଜେଡ଼ିରୁ ୩, ବିଜେପିରୁ ୩, କଂଗ୍ରେସରୁ ୩ ଏବଂ ଆମ୍ ଆଦମୀ ଓ ବହୁ ଜନସମାଜବାଦୀ ପାର୍ଟି ପକ୍ଷରୁ ଜଣେ ଲେଖାଏଁ) ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ୩୦୭ ୱାର୍ଡ ସଭ୍ୟ ମଧ୍ୟରୁ ୧୫୩ଟି ୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଥିବା ବେଳେ ଅବଶିଷ୍ଟ ୧୫୪ଟି ୱାର୍ଡ଼ ସକାଶେ ୨୬୪ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ସର୍ବମୋଟ ୯୮୨୨୪ ଭୋଟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନ ଦିବସରେ ହିଞ୍ଜିଳିକାଟୁ ବ୍ଳକର ୬୨୮୬୦ ଜଣ ଭୋଟର ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ଦିବସରେ ୬୪% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ । ସ୍ଥାନୀୟ ବ୍ଳକର ୯୮୨୨୪ ଭୋଟରଙ୍କ ମଧ୍ୟରୁ ୫୧୭୯୪ ପୁରୁଷ ଭୋଟର, ୪୬୪୧୮ ମହିଳା ଓ ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ବୁଧବାର ମତଦାନ ଦିବସରେ ୩୦ ହଜାର ୯୮୮ ପୁରୁଷ ଓ ୩୧୮୭୨ ମହିଳା ଭୋଟର ନିଜର ବହୁମୁଲ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । କାଁ ଭାଁ ହିଂସାକୁ ବାଦ୍ ଦେଲେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମ ପର୍ଯ୍ୟାୟ ମତଦାନ ଦିବସ ବୁଧବାର ହିଞ୍ଜିଳିକାଟୁ ଗସ୍ତରେ ଆସି ସ୍ଥାନୀୟ ବ୍ଳକର ସମରଝୋଳ, ବଡଖଣ୍ଡି, ନୁଆଁ ବୁରୁପୋଡ଼ା, ବୁରୁପୋଡ଼ା ଓ ସୋମପୁର ଠାରେ ଅନୁଷ୍ଠିତ ୨ଟି ପିଙ୍କ୍ ବୁଥକୁ ବୁଲି ଦେଖିଥିିଲେ । ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାରୁ ସମସ୍ତ ଭୋଟର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଜିପିଇଓ ପ୍ରଶାନ୍ତ କୁମାର ରଥ, ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।