ସରୀସୃପ ରେସ୍ତୋରାଁ
ସାଧାରଣତଃ ସରୀସୃପଙ୍କୁ ଆମେମାନେ ଡରିଥାଉ । କେତେକ ସାହସୀ ଲୋକ ଅଛନ୍ତି ଯେଉଁମାନେ ଏମାନଙ୍କୁ ପୋଷିଥାଆନ୍ତି । ହେଲେ ସେମାନେ ଏମାନଙ୍କୁ ନିଜ ଘରେ ଜନ୍ତାରେ ରଖିଥାଆନ୍ତି । ପ୍ରାୟତଃ ଏଭଳି ପଶୁ ଚିଡିଆଖାନାରେ ଦେଖାଯାଆନ୍ତି । ହେଲେ ଆମ ଦୁନିଆରେ ରହିଛି ବିଭିନ୍ନ ପ୍ରକାରର ଅଦ୍ଭୁତ ପଦାର୍ଥ । କେଉଁଠି ଟଏଲେଟ୍ ରେସ୍ତୋରାଁ ରହିଛି ତ ଆଉ କେଉଁଠି ପାଣି ଉପରେ ବସି ଖାଉଛନ୍ତି ଗରାଖ । ସେହିଭଳି ଆଉ ଏକ ବିସ୍ମୟ ହେଲା ସରୀସୃପ ରେସ୍ତୋରାଁ । ବିଶ୍ୱରେ ବିଭିନ୍ନ ପ୍ରକାର ଥିମ୍ର ରେସ୍ତୋରାଁ, ହୋଟେଲ ରହିଥାଏ । ହେଲେ ଡରୁଥିବା ସାପ, ବେଙ୍ଗ, କୁମ୍ଭୀର ଛୁଆ ସହିତ କିଏ କାହିଁକି ଖାଦ୍ୟ ଖାଇବା ପସନ୍ଦ କରିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । କାମ୍ବୋଡିଆରେ ରହିଛି ଏକ ଏପରି ରେସ୍ତୋରାଁ ଯେଉଁଠି ସରୀସୃପଙ୍କ ସହ ଲୋକେ ବସି କଫିି ବା ଖାଦ୍ୟ ଖାଇବାର ମଜା ନେଉଛନ୍ତି । ଯାହା ଆପଣ ଦେଖିଲେ ଆଚମ୍ବିତ ହେବେ । ଏଠାରେ ଗ୍ରାହକମାନେ ଖାଲି ଖାଆନ୍ତି ତାହା ନୁହେଁ, ଏହି ସରୀସୃପଙ୍କ ସହ ଲୋକମାନେ ସେଲ୍ଫି ନେଇ ସୋସିଆଲ୍ ମିଡିଆରେ ଅପ୍ଲୋଡ ମଧ୍ୟ କରନ୍ତି । ଏଠାରେ ସାପ, ବିଛା, ବେଙ୍ଗ, ବଡ଼ ବଡ଼ ଝିଟିପିଟି, କଇଁଛ, ଅଜଗର ଛୁଆ ଆଦି ଦେଖିବାକୁ ମିଳିବ । ତେବେ ଏହାକୁ କେତେ ଜଣ ସମାଲୋଚନା କରୁଥିବାବେଳେ ଅନେକ ପସନ୍ଦ ମଧ୍ୟ କରନ୍ତି । ଏଠିକାର ବାସିନ୍ଦାଙ୍କ ମଧ୍ୟରେ ଏହି ରେସ୍ତୋରାଁର ଖୁବ୍ ଚାହିଦା ରହିଛି ।