ସର୍ବନିମ୍ନ ସହାୟକ ମୂଲ୍ୟ
ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଘୋଷଣା କରିଛନ୍ତି । ୨୦୨୫-୨୬ ବର୍ଷ ପାଇଁ କ୍ୱିଂଟାଲ ପିଛା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ଟଙ୍କା ବୃଦ୍ଧି କରିଥିବାବେଳେ ଧଳା ସୋରିଷ ୩୦୦ଟଙ୍କା, ମସୁର ୨୭୫ଟଙ୍କା, ବୁଟ ୨୧୦ଟଙ୍କା, ଜ’ ୧୩୦ଟଙ୍କା ଏବଂ କୁସୁମ ୧୪୦ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । କହିବା ବାହୁଲ୍ୟ ଯେ, ଗହମର ଏମଏସପି ବୃଦ୍ଧି ପାଇବା ପରେ ଏବେ କ୍ୱିଂଟାଲ ପିଛା ମୂଲ୍ୟ ୨୪୨୫ଟଙ୍କା ହୋଇଥିବାବେଳେ ଧଳା ସୋରିଷ ୫୯୫୦ଟଙ୍କା, ମସୁର ୬୭୦୦ଟଙ୍କା, ଜ’ ୧୯୮୦ଟଙ୍କା, ବୁଟ ୫୬୫୦ଟଙ୍କା ଏବଂ କୁସୁମର କୁଇଟାଂଲ ପିଛା ମୂଲ୍ୟ ୫୯୪୦ଟଙ୍କା ହୋଇଛି । ଏହି ୬ଟି ରବି ଶସ୍ୟର ଏମଏସପି କୃଷକଙ୍କ ପାଇଁ ଉଚିତ ମୂଲ୍ୟ ସ୍ଥିର କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବା ନିଶ୍ଚିତ । କେବଳ ଏତିକି ନୁହେଁ ବୁଟ, ମସୁର, ଧଳା ସୋରିଷର କ୍ୱିଂଟାଲ ପିଛା ମୂଲ୍ୟ ୨୦୦ରୁ ୩୦୦ ଟଙ୍କା ବୃଦ୍ଧି ଯୋଗୁଁ ଚାଷୀ ଅଧିକରୁ ଅଧିକ ଜମିରେ ଶସ୍ୟ ଉତ୍ପାଦନ ପାଇଁ ପ୍ରୋତ୍ସାହିତ ହେବେ, ଏଥିରେ ସନ୍ଦେହ ନାହିଁ । ଏହା ନିସନ୍ଦେହ ଯେ, ବିଭିନ୍ନ କୃଷିଜାତ ଉତ୍ପାଦନର ମୂଲ୍ୟ ବୃଦ୍ଧି, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗ ଆମ ଦେଶରେ ଜାତୀୟ ରାଜନୀତିକୁ ଉଜ୍ଜିବୀତ କରି ରଖିଛି । କୃଷକଙ୍କ ଆୟ ଦ୍ୱିଗୁଣିତ କହିବା ଦେଶରେ ସମସ୍ତ ଜାତୀୟ ଏବଂ ଆଂଚଳିକ ଦଳର ମୁଖ୍ୟ ପ୍ରତିଶ୍ରୃତି ହୋଇରହିଛି । ସରକାର ଉଭୟ ଖରିଫ ଓ ରବିଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି, ମାତ୍ର ଏହା ଚାଷୀଙ୍କ ଆୟ ବୃଦ୍ଧି କିମ୍ବା ସମସ୍ୟା ସମାଧାନ କରିବାରେ ସହାୟକ ହୋଇପାରୁନାହିଁ । କହିବା ବାହୁଲ୍ୟ ଯେ, ବିହନଠାରୁ ଆରମ୍ଭ କରି ମଜୁରି, ଜଳସେଚନ, ଚାଷ, ବିଦ୍ୟୁତ ଏବଂ କୀଟ ନାଶକ ଔଷଧ, ସାର’ର ମୂଲ୍ୟ ପ୍ରତିବର୍ଷ ବଢିବାରେ ଲାଗିଛି । କୀଟନାଶକ ଔଷଧ ଓ ବିଭିନ୍ନ ସାର’ର ମୂଲ୍ୟ ପ୍ରତିବର୍ଷ ଏପରି ବଢିଚାଲିଛି ଯେ, ଏମଏସପି ବୃଦ୍ଧି ତା’ ତୁଳନାରେ ଆଜି ସାମାନ୍ୟ ବୋଲି କହିଲେ ଭୁଲ ହୋଇନପାରେ । ସେହିପରି ଦ୍ରୃତ ଜଳବାୟ ପରିବର୍ତନର ପ୍ରଭାବ ଏବେ କୃଷି କ୍ଷେତ୍ର ଉପରେ ପଡିଛି । ଅତି ବୃଷ୍ଟି ଓ ଅନାବୃଷ୍ଟି ଯୋଗୁଁ ବ୍ୟାପକ ଶସ୍ୟ ହାନୀ ହେବା ଆମ ଦେଶରେ ଏକ ନିୟମିତ ଘଟଣାରେ ପରିଣତ ହୋଇଛି । ଆହୁରି ମଧ୍ୟ ଶୀତଳ ଭଣ୍ଡାର ଅଭାବରୁ ଅଭାବୀ ବିକ୍ରୀ ଯୋଗୁଁ କୃଷକ ମାତ୍ରାଧିକ ଜାତି ସମ୍ମୁଖୀନ ହେଉଛି । ଚାଷଜନିତ ବ୍ୟୟ ପାଇଁ କରିଥିବା ଋଣ ପରିଶୋଧ କରିନପାରିବା ଆଶଙ୍କାରେ ଦେଶରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ଏବେ ଉଦ୍ବେଗର କାରଣ ହୋଇଛି । ଚାଷୀଙ୍କୁ ଉତ୍ପାଦିତ ଶସ୍ୟର ଦେଢଗୁଣ ବା ଦୁଇଗୁଣା ଆୟ ସରକାର ଦେଉଥିବା ନେଇ କରିଥିବା ଦାବି କେବଳ ଧୂଆଁବାଣ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି କହିଲେ ଅତିରଂଜିତ ହୋଇନପାରେ । ଅନ୍ୟପକ୍ଷରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଚାଷୀଙ୍କ ପାଇଁ ଯେତିକି ଉତ୍ସାହପଦ, ଖାଉଟିଙ୍କ ପାଇଁ ସେତିକି ନୈରାଶ୍ୟଜନକ ବୋଲି କୁହାଯାଇପାରେ । ଦେଶରେ ମୁଦ୍ରାସ୍ଫିତୀ ବୃଦ୍ଧି କରିବାରେ ଏହା ସହାୟକ ହେବ । ଏବେ ଦେଶରେ ଚାଉଳ, ଡାଲି, ଅଟା, ତେଲ ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମ୍ରଗୀର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି । ଅଟା ଓ ଗହମଜାତ ସାମଗ୍ରୀର ମୂଲ୍ୟ ଉପର ମୁହାଁ ହୋଇଥିବାବେଳେ ଏହାର ପୁଣି ବଢିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଉଲ୍ଲେଖଯୋଗ୍ୟ ଯେ ଦେଶରେ ଗତ ପହିଲା ସୁଦ୍ଧା ବିଭିନ୍ନ ଗୋଦାମରେ ୨୩.୭୮ ମିଲିୟନ ମେଟ୍ରିକ ଟନ ଗହମ ଏବଂ ୩୮.୬୮ ମିଲିଅନ ମେଟ୍ରିକ ଟନ ଧାନ ଓ ଚାଉଳ ମହଜୁଦ ରହିଛି । ତେବେ ଦେଶରେ ବାର୍ଷିକ ପ୍ରାୟ ୨୦.୫୨ ମିଲିଅନ ମେଟ୍ରିକ ଟନ ଗହମର ଆବଶ୍ୟକତା ରହିଛି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଦେଶର ୮୦କୋଟି ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ମାସିକ ୫କେଜି ଚାଉଳ କିମ୍ବା ଗହମ ଯୋଗାଇ ଦେଉଛନ୍ତି । ତେଣୁ ଏମଏସପି ବୃଦ୍ଧିର ପ୍ରଭାବ ଖାଉଟିଙ୍କୁ ବିଶେଷ ପ୍ରଭାବିତ କରିନପାରେ । ମାତ୍ର ଯେଉଁମାନେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନା ବାହାରେ ରହିଛନ୍ତି । ସେମାନଙ୍କୁ ମୂଲ୍ୟ ବୃଦ୍ଧି ବାଧିତ ଏଥିରେ ସନ୍ଦେହର ଅବକାଶ ନାହିଁ । କିନ୍ତୁ ଏହା ନିଶ୍ଚିତ ଯେ, କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ, ଆର୍ଥୀକ ଅଭିବୃଦ୍ଧିର ପ୍ରତୀକ । କୃଷି କ୍ଷେତ୍ରରେ ନିୟୋଜନ ଦେଶରେ ବେରୋଜଗାରୀ ସମସ୍ୟା କିଛି ମାତ୍ରାରେ ସମାଧାନ କରିବାରେ ସହାୟକ ହୋଇ ଆସୁଛି । ତେଣୁ କୀଟ ନାଶକ ଔଷଧ, ସାରରେ ରିହାତି ଦେବା ଜରୁରୀ । ସେହିପରି କୀଟ ଓ ରୋଗ ପ୍ରତିରୋଧକାରୀ, ଅତିବୃଷ୍ଟି ଓ ଅନାବୃଷ୍ଟି ସହକାରୀ ଅଧିକ ଅମଳକ୍ଷମ ବିହନ ରିହାତି ଦରରେ ଚାଷୀଙ୍କୁ ଯୋଗାଣ ସୁନିଶ୍ଚିତ କରିବା ଉପରେ ସରକାର ଧ୍ୟାନ ଦେବା ଜରୁରୀ । ମାତ୍ର ସରକାର ଏହାଠାରୁ ବହୁ ଦୂରରେ ଥିବା ମନେହୁଏ ।