ସର୍ବସାଧାରଣ ସ୍ଥାନରୁ ହଟୁନି ନେତାଙ୍କ ଫଟୋ ଥିବା ହୋର୍ଡିଂ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଉକ୍ତ ଆଚରଣ ବିଧି ଅନୁସାରେ ସମସ୍ତ ସରକାରୀ ସ୍ଥାନରୁ ନେତାଙ୍କ ଫଟୋ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂ ଓ ରାଜନୈତିକ ହୋର୍ଡିଂକୁ ହଟାଇବା ପାଇଁ ନିର୍ବାଚନ କମିଶନରଙ୍କ ନିକଟରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୮୦୬/ତା ୧୬ ମାର୍ଚ୍ଚ ୨୦୨୪ରେ ଦୁଇଟି ଟିମ ଗଠନ କରାଯାଇଛି । ଉକ୍ତ ଟିମର ନୋଡାଲ ଅଧିକାରୀ ଭାବେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲି ନିଯୁକ୍ତ ହୋଇଛନ୍ତି । ବ୍ଳକର ବିଭିନ୍ନ ଅଧିକାରୀ ଏହି ଦୁଇ ଟିମରେ ରହି ୧୬ଟି ପଂଚାୟତରେ ନେତାଙ୍କ ଫଟୋ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂକୁ ହଟାଇବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଉକ୍ତ ବ୍ଳକରେ ଏହି ନିର୍ଦ୍ଦେଶକୁ ଖୁଲମଖୁଲା ଉଳଘଂନ କରାଯାଉଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପଂଚାୟତ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର କେଇ ହାତ ଦୂରରେ ନେତାଙ୍କ ଫଟୋ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂଲଗାଯାଇଥିବା ଦେଖାଯାଇଛି । ଏହି ବାଟ ଦେଇ ପ୍ରତ୍ୟେହ ପଂଚାୟତ ସମିତି କାର୍ଯ୍ୟାଳୟର ଅଧିକାରୀମାନେ ଯାତାୟାତ କରୁଥିବା ବେଳେ କାହାର ଦୃଷ୍ଟି ଉକ୍ତ ହୋର୍ଡିଂ ଉପରେ ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ସ୍ଥାନୀୟ ପ୍ରଶାସନ ଦ୍ୱାରା ହୋର୍ଡିଂ ହଟାଇବାର କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ ତାହା କଚ୍ଛପ ଗତିରେ ହେଉ ଥିବା ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ ଅଭିଯୋଗ କରିଛନ୍ତି । ଏବିଷୟରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରୁ ଯେଉଁ ସ୍ଥାନରେ ହୋର୍ଡିଂ ରହିଛି ଯଥାଶୀଘ୍ର ହଟାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।