ସହକାରୀ ଅଧ୍ୟାପକ ପଦବୀରେ ପ୍ରଥମସ୍ଥାନ ହାସଲ କଲେ ସୁଶୀଳ ଶୁଭଦୀପ ନାୟୟକ

ହାଟଡିହି, (ବିକାଶ ବିଶ୍ୱାଳ):ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସହକାରୀ ଅଧ୍ୟାପକ ପଦବୀ (ପ୍ରଥମ ବର୍ଗ)ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ଭୂତତ୍ତ୍ୱ ବିଭାଗରେ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡ଼ିହି ପଞ୍ଚାୟତ ସମିତି ଅଧୀନସ୍ଥ ନୂଆରମ୍ପାସ ଗ୍ରାମର ଶିଶୁ ବିକାଶ ପ୍ରକଳ୍ପ ପରିଦର୍ଶିକା ଶ୍ରୀମତୀ କାଦମ୍ବିନୀ ଜେନା ଓ ଆନନ୍ଦପୁର ମହାବିଦ୍ୟାଳୟର ଇଂରାଜୀ ରିଡ଼ର ତଥା ସାହିତ୍ୟିକ ଶ୍ରୀ ରବୀନ୍ଦ୍ର କୁମାର ନାୟକଙ୍କ ପୁତ୍ର ଶ୍ରୀମାନ୍ ସୁଶୀଳ ଶୁଭଦୀପ ନାୟକ। ଜଣେ ମେଧାବୀ ଓ ପ୍ରତିଭାବାନ୍ ଛାତ୍ର ଭାବରେ ଶ୍ରୀ ନାୟକ ଛାତ୍ର ଜୀବନରୁ ମେଧାବୃତ୍ତି ଲାଭ କରିବା ସହ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସରୁ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର, ବି ଜେ ବି ମହାବିଦ୍ୟାଳୟ, ଭୁବନେଶ୍ୱରରୁ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀ, ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝରରରୁ ଯୁକ୍ତ ତିନି ପରୀକ୍ଷାରେ ପ୍ରଥମ ଶ୍ରେଣୀ ଓ ଡିଷ୍ଟିଙ୍କସନ, ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ଆଇ. ଆଇ. ଟି., ଖଡ଼ଗପୁରରୁ ଏମ୍.ଟେକ୍.ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି। ଏଥି ସହିତ ସେ ୨୦୧୯ ମସିହାରେ ସରକାରଙ୍କ ଅଧୀନରେ ଏସ. ଏସ. ବି. ପରିଚାଳିତ ଭୂତତ୍ତ୍ୱରେ ଏକମାତ୍ର ଅଧ୍ୟାପକ ପଦବୀ ପ୍ରାପ୍ତ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି। ସମ୍ପ୍ରତି ଶ୍ରୀ ନାୟକ ଗଞ୍ଜାମ ଜିଲ୍ଲା ଖେମୁଣ୍ଡି ମହାବିଦ୍ୟାଳୟ, ଦିଗପହଣ୍ଡିରେ ଅଧ୍ୟାପକ ଭାବେ କାର୍ୟ୍ୟରତ ଏବଂ ଜଣେ ଉତ୍ତମ ଅଧ୍ୟାପକ ଭାବରେ ନିଜକୁ ପ୍ରତିପାଦିତ କରିଛନ୍ତି। ଅଧ୍ୟାପନା ବ୍ୟତୀତ ସାହିତ୍ୟ ଓ ସମାଜସେବାରେ ତାଙ୍କର ଗଭୀର ରୁଚି ରହିଛି। ଏହି ସଫଳତା ପାଇଁ ସେ ପରିବାରବର୍ଗ, ଗୁରୁଜୀ ଗୁରୁମା ଓ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହ ତାଙ୍କ ଛାତ୍ରଜୀବନର ମୂଳଦୁଆ ନିର୍ମାଣ କରିଥିବା ଗୁରୁ ଶ୍ରୀ ଅଭିମନ୍ୟୁ ସାହୁ ଓ ଶ୍ରୀ ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭକ୍ତି ନିବେଦନ କରିଛନ୍ତି। ସୁଶୀଳ ଶୁଭଦୀପଙ୍କର ଏ ସଫଳତା ହାଟଡିହି ଅଞ୍ଚଳ ତଥା କେନ୍ଦୁଝର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ