ସହରରେ ତାପମାତ୍ରା ୪୧ଂ : ତତଲା କଡ଼େଇରେ ହିଂଜିଳିକାଟୁ ସହର
ହିଂଜିଳିକାଟୁ,(ଶେଷଦେବ ସାହୁ):ବଦଳିଛି ପାଗ । ଆଉ ହଠାତ୍ ପାଗରେ ପରିବର୍ତନ ସହ ମୁଣ୍ଡପଟା ଖରା ଏବେ ସାଧାରଣ ଲୋକଙ୍କୁ କଲବଲ କରୁଛି । ସହରର ତାପମାତ୍ରା ୪୧ଂ ରହିଥିବା ବେଳେ ତତଲା କଡ଼େଇରେ ହିଂଜିଳିକାଟୁ ରହିଛି । ଦିନସାରା ଦେହରୁ ଝାଳ ଶୁଖୁନାହିଁ । ସକାଳ ୧୦ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ଝାଂଜିପବନ କାରଣରୁ ମୁହଁ ଶିଝିଯାଉଛି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଲୋକଡ଼ାଉନ ଘୋଷଣା କରାଯାଇଥିବା ବେଳେ ସହରର ଦୋକାନ ବଜାର ସକାଳ ୭ଟାରୁ ମଧ୍ୟାନ୍ନ ୧୨ଟା ଯାଏଁ ଖୋଲା ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ପ୍ରାୟ ୧୦ଟାରୁ ହିଁ ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ଶୁନ୍ଶାନ ରହୁଛି । ଏପ୍ରିଲ ମାସ ଆରମ୍ଭରୁ ଖରାର ପ୍ରକୋପ ଆରମ୍ଭ ହୋଇଥିଲେ ମଧ୍ୟ ମଝିରେ ମଝିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ କୁଆପଥର ମାଡ଼ କାରଣରୁ ଗ୍ରୀଷ୍ମର ପ୍ରକୋପ ସେଭଳି ଜଣାପଡ଼ିନଥିଲା । ଗତ ୫ ଦିନ ହେଲା ଖରାର ପ୍ରକୋପ ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ୩ ଦିନ ଧରି ସହରର ତାପମାତ୍ରା ୪୦ଂ ରହିଥିବା ବେଳେ ଗତ ଦୁଇ ଦିନ ଧରି ତାପମାତ୍ରା ବୃଦ୍ଧି ପାଇ ୪୧ଂ ରେ ପଂହଚିଛି । ପାଣିପାଗ ବିଭାଗ ସୂଚନା ପ୍ରକାରେ ଏହା ଚଳିତ ମାସ ଶେଷଯାଏଁ ଲାଗିରହିବ । ଆଗକୁ ସ୍ଥାନୀୟ ସହରର ତାପମାତ୍ରା ରେକର୍ଡ଼ ଭାଙ୍ଗିବା ନେଇ ଏବେ ଠାରୁ ଆଶଙ୍କା କରାଯାଉଛି । ପ୍ରଚଣ୍ଡ ଖରା ଯୋଗୁଁ ଜଳସ୍ତର କମିବାରେ ଲାଗିଛି । ଗତବର୍ଷ ହିଂଜିଳିକାଟୁ ସହରରେ ତାପମାତ୍ରା ୪୪.୫ଂ ଛୁଇଁଥିଲା । ଆଗକୁ ସହରର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆବଶ୍ୟକ ପରିମାଣରେ ଗଛ ଲଗାଯିବା ସହ ସବୁଜ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନଥିବାରୁ ତାପମାତ୍ରା ବୃଦ୍ଧି ଅନ୍ୟ ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


