ସହରରେ ଲକ୍ ଡାଉନ୍ କଟକଣାର ପ୍ରଭାବ କିନ୍ତୁ ଗ୍ରାମାଞ୍ଚଳରେ ଶୂନ୍ଯ

କୋଦଳା: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ୍ ଫୋର୍ସ ମୁତୟନ ରହି ଲୋକଙ୍କୁ ସଚେତନ କରାଇବା ସହିତ ସହରକୁ ଲକ୍ ଡାଉନ୍ କରାଯାଇଛି। କୋଦଳା, କଞ୍ଚଣା, ବେଗୁନିଆପଡ଼ାର ବିଭିନ୍ନ ରାସ୍ତାରେ ରଶି ଟାଣି ଯାନବାହାନକୁ ଛଡା ଯାଉ ନାହିଁ। କିଛି ଅତ୍ଯାବଶ୍ଯକୀୟ ଦୋକାନକୁ ଛାଡି ଦେଲେ ବାକି ସବୁ ଦୋକାନ ବଜାର ବନ୍ଦ ରହୁଛି । ସେପଟେ ଲକ୍ ଡାଉନ୍ କୁ ସଫଳ କରିବା ପାଇଁ ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରାଙ୍କ ସମେତ ସମସ୍ତ ପୋଲିସ୍ ଅଧିକାରୀ ପୁରା ଦମରେ ଲାଗି ପଡ଼ିଛନ୍ତି। ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ରହି ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେବା ସହ ଯାନବାହାନ ଗୁଡିକୁ ବନ୍ଦ କରୁଛନ୍ତି। ଅତି ଜରୁରୀ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି। ସେପଟେ ବାହାର ରାଜ୍ୟକୁ ଯାଇଥିବା ଲୋକକଂ ଘର ବାହୁଡ଼ା ପରେ ପ୍ରଥମେ ମେଡିକାଲ୍ ରେ ନାମ ରେଜିଷ୍ଟ୍ରେସନ୍ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିବା ପରେ ଘରକୁ ଛଡ଼ା ଯାଉଛି। କୋଦଳା ମେଡିକାଲରୁ ମିଳିଥିବା ସୂଚନା ଅନୁସାରେ ଏବେ ବାହାର ରାଜ୍ୟ ତଥା ବିଦେଶରୁ ମୋଟ ୨୧୪ ଜଣ ଫେରି ଆସିଥିବା ଜଣାପଡିଛି। ସରକାରଙ୍କ ନିୟମ ଅନୁସାରେ ସେମାନଙ୍କ ଘର ଆଗରେ କୋଭିଡ୍ – ୧୯ ପୋଷ୍ଟର ଲଗା ଯାଉଛି। ଅଂଗନବାଡି ଓ ଆଶା କର୍ମୀ ମାନେ ଏହି ପୋଷ୍ଟର ମାରିବା ସହିତ ସରକାରଙ୍କ ନିୟମ ପ୍ରକାରେ ବାହାରୁ ଫେରିଥିବା ବ୍ଯକ୍ତି ମାନଙ୍କୁ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଜିତ୍ କୁମାର ବେହେରା, ଆଦିତ୍ୟ ପ୍ରସାଦ ସାହୁ, ଜୟଦେବ ନାୟକ, ପୂର୍ବକାନ୍ତ ଆଚାର୍ଯ୍ୟ ପ୍ରମୁଖ ଡାକ୍ତର ବାହାର ଫେରନ୍ତାଙ୍କ ଘରକୁ ଯାଇ ସଚେତନ କରିବା ସହ ପରାମର୍ଶ ଦେଉଛନ୍ତି। ତେବେ ଗାଁ ଗହଳିରେ ଲୋକମାନେ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି। ସହର ବଜାର ଜନଶୂନ୍ଯ ହୋଇ ପଡୁଥିବା ବେଳେ ଗାଁ ମାନଙ୍କରେ ଲୋକେ ଦଳ ଦଳ ହୋଇ ପୋଖରୀ ଘାଟ, ମନ୍ଦିର, କୋଠଘର ଇତ୍ଯାଦି ସ୍ଥାନ ମାନଙ୍କରେ ଆଡ୍ଡା ଜମାଇ ତାସ୍ ଖେଳରେ ମାତିଥିବା ଓ ଜନଗହଳି କରୁଥିବା ଦେଖିବାକୁ ମିଳୁଛି। ଏପରିକି ଲୋକେ ପୋଲିସ କୁ ଡରି ଘରେ ରହୁଛନ୍ତି ସତ କିନ୍ତୁ ରୋଗକୁ ଡରୁ ନଥିବା ଜଣା ପଡୁଛି। ଆଗାମୀ କିଛି ଦିନ ଲକ୍ ଡାଉନ୍ କରି ସୁରକ୍ଷିତ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ ସହ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ