ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରାୟଗଡା : ରାୟଗଡା ପୌର ପରିଷଦ ଅଧିନରେ ୨୪ଟି ୱାର୍ଡ ରହିଥିବା ବେଳେ ସହରର ପରିମଳ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ଯେଉଁଠି ଦେଖିବ କୁଢ କୁଢ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳୁଛି । ସହରରୁ ବାହାରୁଥିବା ଅଳିଆ ଆବର୍ଜନାଗୁଡିକ ପକାଇବା ପାଇଁ ଡମ୍ଫିୟାର୍ଡର ବ୍ୟବସ୍ଥା ନଥିବାରୁ ମା’ ମାଝିଘରିଆଣି ମନ୍ଦିରକୁ ଯିବା ରାସ୍ତା ପାଶ୍ୱର୍ରେ ଜମା କରାଯାଉଛି । ସେହିପରି ଅନେକ ୱାର୍ଡରେ ଡ୍ରେନ୍ ବ୍ୟବସ୍ଥା ନଥିବାବେଳେ ପୁରୁଣା ଡ୍ରେନ୍ ଗୁଡିକ ଭାଙ୍ଗିରୁଜି ପୋତି ହୋଇଯାଇଛି ।  ଫଳରେ ଆବର୍ଜନା ଓ ଜଳ ନିଷ୍କାସନ ସଠିକ ଭାବେ ହୋଇପାରୁନାହିଁ । ମାସ ମାସ ଧରି ଉକ୍ତ ଅଳିଆ ଆବର୍ଜନା ଗୁଡିକ ସଫେଇ ହେଉନଥିବାରୁ ବର୍ଷା ପାଣି ଜମି ସେଥିରେ ମାଶା ମାଝିଙ୍କ ବଂଶ ବୃଦ୍ଧି ହେବା ଦ୍ୱାରା ମେଲେରିଆ, ଡେଙ୍ଗୁ ଓ ଝାଡାବାନ୍ତି ଭଳି ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ଦେଖାଯାଇଛି । ମାତ୍ର ପୌରପାଳିକା ପକ୍ଷରୁ ମାସକୁ ସଫେଇ ବାବଦରେ ୮ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ବେଳେ ୨/୩ ଜଣ ଠିକାଦାରଙ୍କ ଏହି କାର୍ଯ୍ୟର ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଚାର ଗାଡି ସହରରେ ବୁଲି ବଚଲି ପରିମଳ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରୁଛି । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସ୍ଥାନୀୟ ୱାର୍ଡବାସୀ ଅଭିଯୋଗ କରିଛନ୍ତି । ୱାର୍ଡରେ ନାଳ ନର୍ଦ୍ଦମାଗୁଡିକରେ ଫିନାଇଲ୍, ବ୍ଲିଚିଂ, ଡିଡିଟି ମଶା ଦେଲ ସିଞ୍ଚନ ହେଉନଥିବାରୁ ମଶା ମାଛିଙ୍କ ଦୌରାମ୍ୟ ବୃଦ୍ଧି ହେଉଛି । ସେହିପରି ସହରର ଅଧିକାଂଶ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ମରାମତି କରାଯାଉନାହିଁ । ୨୦ଟି ୱାର୍ଡରେ ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇଥିବା ବେଳେ କପିଳାସ ରୋଡ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ଲିଙ୍ଗ ରୋଡ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତା ଦେଇ ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ହଜାର ହଜାର ଛାତ୍ରଛାତ୍ରୀ ପ୍ରତ୍ୟେହ ଯା-ଆସ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହରର ଅବସ୍ଥା ଏଭଳି ଥିବାବେଳେ ପୌରପାଳିକା ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛି । ତେବେ ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ