ସହରାଞ୍ଚଳ ମୌଳିକ ସମସ୍ୟାକୁ ନେଇ ବିଜେପି ନଗର କମିଟିର ଦାବିପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା): ଦୈନନ୍ଦିନ ଜୀବନରେ ବାଲେଶ୍ୱର ସହରବାସୀ ସାମ୍ନା କରୁଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ବିଜେପି ନଗର କମିଟି ପକ୍ଷରୁ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ସ୍ୱଛ ଭାରତ ଯୋଜନାରେ କେନ୍ଦ୍ର ସରକାର ପ୍ରଦତ୍ତ କୋଟି କୋଟି ଟଙ୍କା ଅନୁଦାନର ଉପଯୁକ୍ତ ବିନିଯୋଗ ହୋଇପାରି ନଥିବା ସେମାନେ ଆରୋପ ଉଠାଇଥିଲେ । ସହର ନିଷ୍କାସନ ବ୍ୟବସ୍ଥା ଯଥା ନାଳ ନର୍ଦ୍ଦମା ଠିକଭାବେ ପରିଷ୍କାର କରା ନଯିବା ଯୋଗୁଁ ଗତ ୧୧ ତାରିଖରେ ମାତ୍ର ୨ ଘଣ୍ଟାର ବର୍ଷାରେ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେଇ ଜଣସାଧାରଣଙ୍କ ଘରେ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ପାଣି ପଶି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଗଲା । କରୋନା ମହାମାରୀ ସମୟରେ ବ୍ୟବସାୟୀଙ୍କ ଏହି କ୍ଷତି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ଦୋକାନୀମାନଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ବିଜେପି କର୍ମକର୍ତ୍ତାମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ନିଷ୍କାସନ ବ୍ୟବସ୍ଥା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ‘ମାଷ୍ଟର ପ୍ଲାନ’ କୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ସେମାନେ ନିର୍ବାହୀ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଥିଲେ । ସେହିଭଳି ସହରରେ ଥିବା ସମସ୍ତ କଚ୍ଚା ରାସ୍ତାକୁ ପକ୍କା କରିବା, ସଫେଇ କାର୍ଯ୍ୟ ପାଇଁ ନୂତନ ଟେଣ୍ଡର ଆହ୍ୱାନ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୟ ଅବଧି ଶେଷ ହୋଇଆସୁଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପ୍ରଭୃତି ପ୍ରସଙ୍ଗ ଉପରେ ଆଲୋଚନା ସହ ତୁରନ୍ତ କାର୍ଯ୍ୟକାରୀ ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଥିଲା । ପୌପାଳିକା ପକ୍ଷରୁ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ବିଜେପି ନଗର କମିଟି ସଭାପତି ଶ୍ରୀ ପଣ୍ଡା ଚେତାବନୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ନିର୍ବାହୀ ଅଧିକାରୀ ଶ୍ରୀ ପାଟିଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ଉପ-ସଭାପତି ତଥା ନଗର ପ୍ରଭାରୀ କମଲଲୋଚନ ଦାସ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ସମ୍ପାଦକ ବିଭୁପଦ ଦାସ, ଜିଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସୁଶାନ୍ତ ବେରା, ଯୁବମୋର୍ଚ୍ଚା ଉପ-ସଭାପତି ସୁବୋଧଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।