ସହିଦ୍ଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ(ଏଜେନ୍ସି): ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୮ଘଣ୍ଟା ନ ହେଉଣୁ ନିଜ କାମ ଆରମ୍ଭ କରିସାରିଛନ୍ତି ରାଜନାଥ ସିଂହ । ରାଜନାଥ ସିଂହ ସୋମବାର ସିଆଚେନ୍ ଗ୍ଲେସିୟର୍ ଗସ୍ତ କରି ପାକିସ୍ତାନ ସହ ସୀମା ଅଞ୍ଚଳର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି । ତାଙ୍କ ସହ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାବାହିନୀର ପ୍ରସ୍ତୁତି ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ତାଙ୍କର ଏହି ଗସ୍ତ ସମୟରେ ସେ ଯବାନ ଓ ଅଧିକାରୀଙ୍କ ସହ ମଧ୍ୟ ବାର୍ତ୍ତାଳାପ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ବିଶ୍ୱର ସବୁଠାରୁ ବଡ଼ ଯୁଦ୍ଧ କ୍ଷେତ୍ର ବୋଲି ଜଣାଯାଉଥିବା ସିଆଚେନ୍ର ବେଶ୍ କ୍ୟାମ୍ପରେ ଥିବା ଯୁଦ୍ଧସ୍ମାରକୀଠାରେ ସେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ରାଜନାଥ, ଦେଶର ସମସ୍ତ ଯବାନ ବିଶେଷକରି ସିଆଚେନ୍ ଭଳି ଅତ୍ୟନ୍ତ ଦୁର୍ବିସହ ଅଞ୍ଚଳରେ ନିୟୋଜିତ ଥିବା ଯବାନଙ୍କ ଦେଶପ୍ରୀତି ଏବଂ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।


