ସାଂସଦ ଅନନ୍ତ ନାୟକ କେନ୍ଦୁଝରରେ ରେଳ ଡବା ମରାମତି କାରଖାନା ପାଇଁ କଲେ ଦାବି
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝରର ସାଂସଦ ଅନନ୍ତ ନାୟକ ଗୁରୁବାର ଦିନ ଲୋକସଭାରେ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଏକ ରେଳ ୱାଗନ ମରାମତି କାରଖାନା ସ୍ଥାପିତ କରିବାକୁ ଦାବି କରିଛନ୍ତି । ଶ୍ରୀ ନାୟକ ଆଜି ନିୟମ ୩୭୭ ଅନୁସାରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ଏହା ସ୍ଥାପିତ ହେଲେ ଆର୍ଥିକ ବିକାଶକୁ ଗତି ମିଳିବା ସହ ସ୍ଥାନୀୟ ଯୁବକ ମାନଙ୍କ ପାଇଁ ରୋଜଗାରର ସୃଜନ ହୋଇ ପାରିବ । ଶ୍ରୀ ନାୟକ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ଓଡିଶାର ଏକ ପ୍ରମୁଖ ଖଣିଜ ଉତ୍ପାଦକ କ୍ଷେତ୍ର ଅଟେ । ରାଜ୍ୟର ମୋଟ ଖଣିଜ ଉତ୍ପାଦନରେ କେନ୍ଦୁଝର ପାଖାପାଖି ୨୮ପ୍ରତିଶତ ଯୋଗ ଦାନ ଦେଇଥାଏ । ତେବେ ରେଳ ଡବା (ୱାଗନ)ର ଅଭାବ ଏଠାରେ ଏକ ବଡ ସମସ୍ୟା । ଖଣିଜ ପଦାର୍ଥର ଖୁବ ଚାହିଦା ସତ୍ୱେ ସମୟରେ ୱାଗନ ଉପଲବ୍ଧ ହୋଇ ପାରୁ ନ ଥିବା କାରଣରୁ ଖଣିଜ ଲଦି ବାହରକୁ ପଠାଇବାରେ ବିଳମ୍ବ ହୋଇଥାଏ । କେନ୍ଦୁଝରରେ ଥିବା ଖଣିଜ ସମ୍ପଦର ସଠିକ ବ୍ୟବହାର ଓ ପରିଚାଳନା ପାଇଁ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଏକ ରେଳ ଡବା (ୱାଗନ) ମରାମତି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି । ଏପରି ହେଲେ ଏଠାରୁ ବାହାରୁଥିବା ଖଣିଜକୁ ସମୟରେ ଲଦା ଯାଇ ବାହାରକୁ ପଠାଯାଇ ପାରିବ ଓ ୱାଗନର ଅଭାବ କାରଣରୁ ହେଉଥିବା କ୍ଷତିକୁ ଦୂର କରାଯାଇ ପାରିବ । ଶ୍ରୀ ନାୟକ କହିଛନ୍ତି ଯେ, କେବଳ ସେତିକି ନୁହେଁ କେନ୍ଦୁଝରରେ ରେଳ ୱାଗନ ରିପାୟାରିଂଗ ଫ୍ୟାକ୍ଟ୍ରୀ ପ୍ରତିଷ୍ଠା ହେଲେ ସ୍ଥାନୀୟ ଜନଜାତି ବର୍ଗର ଯୁବକ ମାନଙ୍କୁ ସେମାନଙ୍କ ଘର ନିକଟରେ ରୋଜଗାର ମିଳି ପାରିବ ତଥା ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ହେଉଥିବା ଯୁବକ ମାନଙ୍କର ବିସ୍ଥାପନକୁ ମଧ୍ୟ ରୋକା ଯାଇ ପାରିବ । ତେଣୁ ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଶୀଘ୍ର ନିଷ୍ପତି ନେବାକୁ ସେ ନିବେଦନ କରିଛନ୍ତି