ସାଇକେଲକୁ ଧକ୍କା ଦେଲା ବାଇକ;ସାଇକେଲ ଆରୋହୀ ଗୁରୁତର
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଘୋଡାଂଶ ପଂଚାୟତ ମୁଗେଇ ଛକ ନିକଟରେ ମଙ୍ଗଳବାର ସଂଧ୍ୟାରେ ଏକ ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ସୂଚନା ମୁତାବକ ମୁଗେଇ ଗ୍ରାମର ଶିବ ପ୍ରସାଦ ମୁଦୁଲି(୩୩)ନିଜ ଗାଁରୁ ଏକ ସାଇକେଲ ଚଳାଇ ଘୋଡାଂଶକୁ ଯାଉଥିଲେ । ଦୁଇ ଜଣ ଯୁବକ ଏକ ବାଇକିରେ ଅସ୍ତରଙ୍ଗ ଜାହାନିଆରୁ ବାହାରି ଜଗତସିଂହପୁର ଯାଉଥିବା ବେଳେ ବାଲିଭଉଁରୀ-ଶିଖରଘାଟ ମୁଖ୍ୟରାସ୍ତାର ମୁଗେଇଛକ ଠାରେ ସାଇକେଲର ପଛପଟକୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ଶିବପ୍ରସାଦ ତଳେ ପଡିଯିବାରୁ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ଶିବ ପ୍ରସାଦକୁ ଗୁରୁତର ଅବସ୍ଥାରେ ଥିବା ସଙ୍ଗେ ସଙ୍ଗେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭତି କରିଥିଲେ ।ଖବର ଲେଖା ହେଲା ବେଳକୁ ଶିବପ୍ରସାଦ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।