ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଘରୋଇ ବସ୍
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଏକ ସାଇକେଲକୁ ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭ଏଏ ୨୨୮୮) ଧକ୍କା ଦେଇଛି । ଦୁର୍ଘଟଣାରେ ସାଇକେଲ ଆରୋହୀ ଜଣଙ୍କ ଅଳ୍ପକେ ରକ୍ଷା ପାଇ ଯାଇଥିବା ବେଳେ ସାଇକେଲଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପ୍ରକାଶ ଯେ, ହିଞ୍ଜିଳି ଥାନା ଖରିଡା ଗ୍ରାମର ଜଣେ ନାବାଳକ ଛାତ୍ର ସୁଧାଂଶୁ ଶେଖର ନାୟକ ସ୍ଥାନୀୟ ପୌରାଞ୍ଚଳ ରେଗିଡି ସାହିରୁ ଟିୟୁସନ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଘରୋଇ ଯାତ୍ରୀବାହୀ ବସଟି ସାଇକେଲକୁ ଧକ୍କା ଦେଇଥିଲା। ସୌଭାଗ୍ୟ ବଶତଃ ନାବାଳକ ଛାତ୍ର ଜଣଙ୍କ ସାଇକେଲ ଛାଡି କିଛି ଦୂରକୁ ଡେଇଁ ପଡି ଜୀବନ ବଞ୍ଚାଇଥିଲେ। ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ବହୁ ବାଇକ୍ ଓ ଗାଡି ମୋଟର ପାର୍କିଂ କରୁଥିବାରୁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ପୁଲିସ ପ୍ରଶାସନ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।