ସାଇଟରେ ରହୁନାହାନ୍ତି ଜେଇ, ଏସଡିଓ ! ନିମପଲ୍ଲୀ ଗାଁ ରାସ୍ତା ନିମ୍ନମାନର ଅଭିଯୋଗ
ଦିଗପହଣ୍ଡି,(ଯୁଗାଦ୍ଧ ନିଜ୍ୟୁ) ସମ୍ପ୍ରତ୍ତି ନିର୍ବଽାଚନ ଋତୁ ଚାଲିଥିବା ହେତୁ ଅଧିକାଂଶ ଉନ୍ନତିମୂଳକ କାର୍ୟ୍ୟ ସବୁ ନିର୍ବାଚନ ଆଚରଣ ବିଧି ଉଲଂଘନକୁ ଆଶଙ୍କା କରି ଠପ୍ ହୋଇଯାଇଥିଲା । ହେଲେ ପୂର୍ବାରମ୍ଭ କାର୍ୟ୍ୟ ସବୁ ଦିଗପହଣ୍ଡି ଏନଏସିରେ ଚାଲିଥିବା ପରିଲଖିତ ହୋଇଛି । ବିଭାଗୀୟ ଯନ୍ତ୍ରୀ କର୍ମଚାରୀ ସମସ୍ତଙ୍କୁ ନିର୍ବାଚନ ଦାୟିତ୍ୱରେ ନ୍ୟସ୍ତ କରିଦିଆଯାଇଥିବାରୁ ଠିକାଦାର ମାନଙ୍କୁ ଏହା ସୁହାଇଥିବା ସାଧାରଣରେ ଆଲୋଚନା ହେଉଛି । ବହୁ ଦାବୀ ଅଭିଯୋଗ ପରେ ସହରରେ ଗାଁ ଚିତ୍ର ସଦୃଶ ୨ ନଂ ୱାର୍ଡର ନିମପଲ୍ଲୀ ଗାଁକୁ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତି କରଣ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରାଯାଇଥିଲା । ଗତ ୨୦୧୮ ମସିହା ଅଗଷ୍ଟ ୫ ତାରିଖରେ ତକ୍ରାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଥିଲା । ୩୪୧.୦୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ୟ୍ୟ କରାଯାଉଥିବା ବେଳେ ରାସ୍ତା ନିର୍ମାଣ କାର୍ୟ୍ୟର ସମ୍ପୂର୍ଣ୍ଣ ସୂଚନା ଫଳକ ସାର୍ବଜନୀନ କରାଯାଇନଥିବାରୁ ଅସନ୍ତୋଷ ଦେଖାଦେଇଛି । ଭତ୍ତି ପ୍ରସ୍ତରଟି ଉପରେ ସମ୍ପ୍ରତ୍ତି ବାଲି ଗଦା ପୋତି ହୋଇଯାଇଥିବା ବେଳେ ପୁରୁଣା ରାସ୍ତା ଉପରେହିଁ ଡଷ୍ଟ ପାଉଡର୍ ବେବି ଚିପ୍ସ୍ ଆଦି ପକାଯାଇ ରାସ୍ତା ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ୟ୍ୟରେ ଗୋଟିଏ ବକ୍ସ କଲଭର୍ଟ ଏବଂ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଗାର୍ଡ ୱାଲ୍ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ଗାଁକୁ ସଂଯୋଗ କରୁଥିବା ପୁରୁଣା ପିଚୁ ଓ କଂକ୍ରିଟ୍ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ତାହା ଉପରେ ନୂତନ କାର୍ୟ୍ୟ କରିବାକୁ ବୈଦ୍ଧ୍ୟ ରହିଛି । ହେଲେ ଏଠାରେ ତାହାର ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିର୍ବାଚନ ଦାୟିତ୍ୱରେ ରହିବା ପରେ ଏବେ ବାବୁ ମାନେ ସରକାରୀ ଛୁଟିରେ ରହିଥିବା ବିଭାଗୀୟ ଦପ୍ତରରୁ ପ୍ରକାଶ ପାଇଛି । ଏହାର ସୁଯୋଗନେଇ ସାଇଟ୍ରେ କ୍ୟାମ୍ପ କରି ଠିକାଦାର ମନମୁଖୀ ଭାବେ ତ୍ୱରାନ୍ନିତ କାର୍ୟ୍ୟ କରୁଥିବା ଦେଖିବାକୁ ମିଳିଛି । ଏନେଇ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମୌଖିକ ଭାବେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପ୍ରକାର ପରବର୍ତ୍ତୀ ପଦକ୍ଷେପ ନନେବାରୁ ଅସନ୍ତୋଷ ବୃଦ୍ଧି ପାଇଥିବା ନେଇ ସୂଚନା ଅଧିକାର କର୍ମୀ ତଥା ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ସୁମନ କୁମାର ସାହୁ, କହ୍ନେଇ ଚରଣ ବେହେରା, ମୁନା ବିଷୋୟୀ, ମନୋଜ ସାହୁ, ଶୁଭମ୍ କୁମାର ସାହୁ, ବୁଟୁ ପାଣିଗ୍ରାହୀ ପ୍ରମୁଖ ଗଣମାଧ୍ୟମକୁ ପ୍ରେସ୍ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି । ଏନେଇ ପୂର୍ତ୍ତବିଭାଗର ସ ହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲାଚାନ୍ଦ ଗୌଡଙ୍କୁ ପଚରାଯିବାରେ କହିଛନ୍ତି ଯେ, ସମ୍ପୂର୍ଣ୍ଣ କାର୍ୟ୍ୟର ତଦାରଖ କରିବା ପରେ ତଦନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।