ସାଇଭକ୍ତ, ଭାଗବତପ୍ରେମୀ ତଥା କବି ଦୋଳଗୋବିନ୍ଦ ପାଗଳଙ୍କ ପରଲୋକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଭାଗବତପ୍ରେମୀ, ସାଇଭକ୍ତ ତଥା କବି ଦୋଳଗୋବିନ୍ଦ ପାଗଳଙ୍କ ଗତ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ଭୋପାଳ ଠାରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଡଅଁର ଭଗବାନ ସତ୍ୟସାଇ ସମିତିର ଜଣେ ସକ୍ରୀୟ ସଦସ୍ୟ ଥିବାବେଳେ ସେ ଜଣେ ଭାଗବତପ୍ରେମୀ ତଥା ଭଗବତ ପ୍ରଚାରକ ଭାବେ ସମଗ୍ର ଓଡିଶାରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ଅପରାହ୍ନରେ ତାଙ୍କ ମରଶରୀର ଡଅଁର ଗ୍ରାମରେ ପହଞ୍ଚିବାପରେ ଏକ ବିରାଟ ଶୋଭାଯାତ୍ରାରେ ଡଅଁର, ଚଷାଖଣ୍ଡ ଗ୍ରାମ ପରିକ୍ରମା କରାଇବାପରେ ନିଜ ଗ୍ରାମରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏଥିରେ ଆଖ ପାଖ ଅଞ୍ଚଳରୁ ହଜାରେରୁ ଉର୍ଦ୍ଧ ଲୋକ ଯୋଗଦେଇଥିବାବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପୁଅ ପିତାବସ ପାଗଳ ମୁଖାଗ୍ନି ଦେଇଥିବାବେଳେ ସାନପୁଅ ବିଭୁତି ଭୁଷଣ ପାଗଳଙ୍କ ସମେତ ସମସ୍ତ ପରିବାର ସଦସ୍ୟ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।