ସାଧାରଣ ନିର୍ବାଚନ ଲାଗି ଅବକାରୀ ନିୟମ କଡାକଡି ଉପରେ ବୈଠକ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଆଗାମୀ ସାଧାରଣ ନିର୍ବାଚନ-୨୦୧୯ ସକାଶେ ଅବକାରୀ ବିଭାଗ ତରଫରୁ ଲାଇସେନ୍ସଧାରୀ ମଦ ଦୋକାନ ମାଲିକଙ୍କ ପାଇଁ ମଦ ବିକ୍ରିବଟା ଉପରେ କଡା ନିୟମ ଲାଗୁ କରାଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅବକାରୀ ବିଭାଗ ଲାଗୁ କରିଥିବା ନିୟମଗୁଡିକ ସୂଚୀତ କରାଯାଇଛି । ସେହି ଅନୁସାରେ ପ୍ରତ୍ୟହ ମଦ ବିକ୍ରିବଟାର ସୂଚନା ଉଚିତ ସମୟରେ ଅବକାରୀ କାର୍ଯ୍ୟାଳୟରେ ଜଣାଇବାକୁ ହେବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୋକାନର ବିକ୍ରି ୩୦ ଶତକଡାରୁ ଅଧିକ ହେବ ନାହିଁ । ସବୁ ମଦ ଦୋକାନ ଆଗରେ ସିସିଟିଭି କ୍ୟାମେରାକୁ ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ଦୋକାନ ଆଗରେ ମଦର ଦର ପରିଷ୍କାର ଭାବେ ପ୍ରଦର୍ଶନ କରାଯିବ । ସର୍ବନିମ୍ନ ରିଟେଲ ଦରଠାରୁ ଅଧିକ ଦାମରେ ମଦ ବିକ୍ରି କରୁଥିଲେ ଏଥିପାଇଁ ୧ଲକ୍ଷ ଟଙ୍କା ଜୋରିମାନା କରାଯିବାର ପ୍ରାବଧନ ରହିଛି । କ୍ରେତାଙ୍କୁ ନଗଦ ରସିଦ୍ ନ ଦେଲେ କିମ୍ବା ଦାମରେ କୌଣସି ପ୍ରକାର ଗଫଲତ କଲେ ମାସିକ କୋଟାରେ ପରିବର୍ତ୍ତନ ନ କରି ସମ୍ପୃକ୍ତ ଦୋକାନର ଲାଇସେନ୍ସକୁ ୧ ମାସ ଯାଏଁ ରଦ୍ଦ କରାଯିବ । ତା ଛଡା ପ୍ରତ୍ୟେକ ମଦଦୋକାନୀ ତାଙ୍କ ଦୋକାନ ଆଗରେ ‘ମଦ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ’ ଲେଖାଥିବା ବୋର୍ଡ ଟଙ୍ଗାଇବେ । ଦୋକାନର ଖୋଲିବା ସମୟ ଏବଂ ବନ୍ଦ କରିବା ସମୟକୁ କଡାକଡି ଭାବେ ପାଳନ କରାଯିବାକୁ କୁହାଯାଇଛି । କୌଣସି ମଦ ଦୋକାନୀ ନିଜର ଗଚ୍ଛିତ ମଦ ପରିମାଣରୁ ଅଧିକ ମଦ ବିକ୍ରି କରିପାରିବେ ନାହିଁ । ଜଣେ କ୍ରେତା ଭାରତ ପ୍ରସ୍ତୁତ ବିଦେଶୀ ମଦ ୨.୫ ଲିଟର, ବିଅର ୫ ଲିଟର ଏବଂ ଦେଶୀ ମଦ ୧.୫ ଲିଟରରୁ ଅଧିକ କିଣିପାରିବେ ନାହିଁ । ଆଜିର ବୈଠକରେ ଜିଲ୍ଲାପାଳ ସମସ୍ତ ମଦଦୋକାନୀଙ୍କୁ ଅନୁସୃତ ନିୟମ ଖିଲାପିଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କହିବା ସହ ନିୟମ ମାନି ପ୍ରଶାସନକୁ ସହଯୋଗ କରିବାକୁ କହିଥିଲେ । ବୈଠକରେ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିଥିବା ବେଳେ ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁବାଷ ନିଆଲ ଚଳିତ ଥରର ନିର୍ବାଚନ ସମୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜଣାଇ ଅବକାରୀ ନିୟମକୁ ମଧ୍ୟ ଅନୁରୂପ ଭାବେ ପାଳନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।