ସାଧାରଣ ବଜେଟରେ ପୁରୀକୁ ଉପେକ୍ଷା
ପୁରୀ -(ଯୁଗାବ୍ଦ ନ୍ୟୁଜ୍):ଦେଶର ଆଧାତ୍ମିକ କ୍ଷେତ୍ର ପୁରୀ କୁ ସାଧାରଣ ବଜେଟ୍ ରେ ଉପେକ୍ଷା କରାଯାଇଥିବା ଦେଖାଦେଇଛି । ଏହା ସହିତ ବିଜେପି ନିର୍ବାଚନୀ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛି । ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟରେ ଘୋଷଣା ହୋଇଥିବା ଦେଶର ୧୨ଟି ରାଜ୍ୟର ୧୭ ଅନନ୍ୟ ଆକର୍ଷଣୀୟ ପର୍ୟ୍ୟଟନ କ୍ଷେତ୍ର ଭିତରେ ଓଡ଼ିଶାର ଗୋଟିଏ ବି ପର୍ୟ୍ୟଟନ କ୍ଷେତ୍ର ସ୍ଥାନ ପାଇନି । କେନ୍ଦ୍ର ସରକାରଙ୍କ ଏପରି ଅବହେଳା ସାମାନାକୁ ଆସିବା ପରେ ତେଜିଛି ବିବାଦ ।୨୦୧୯ ସାଧାରଣ ନିର୍ବାଚନରେ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ରୂପେ ବିକଶିତ କରିବା ପାଇଁ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ଏବେ ସେ ପ୍ରତିଶ୍ରୁତି ପାଣିର ଗାର ପ୍ରମାଣିତ ହୋଇଛି । ଗତ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଲା । ତା ପରଦିନ ଅର୍ଥାତ ଗତ ୫ ତାରିଖରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ ଆଗତ କରିଥିଲେ । ବଜେଟରେ ଦେଶର ୧୨ଟି ରାଜ୍ୟର ୧୭ଟି ଅନନ୍ୟ ଆକର୍ଷଣ ଥିବା ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅର୍ଥ ବରାଦ କରାଯାଇଛି ।କିନ୍ତୁ ଓଡ଼ିଶାର ଗୋଟିଏ ବି ପର୍ୟ୍ୟଟନ କ୍ଷେତ୍ର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ପଡ଼ିଲାନି । ଏହାକୁ ନେଇ କେନ୍ଦ୍ର ପର୍ୟ୍ୟଟନ ମନ୍ତଣାଳୟ ବିରୋଧରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।