ସାନଖେମୁଣ୍ଡିରେ ଜାତୀୟ ପ୍ରେସ ଦିବସ ଧୁମଧାମରେ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ନଭେମ୍ବର ୧୬ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଠାରେ ପ୍ରେସ କ୍ଳବ୍ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ ସହ ଆମନ୍ତ୍ରିତ ଅଞ୍ଚଳ ଜନପ୍ରତିନିଧି , ପ୍ରଶାସନିକ ଅଧିକାରୀ , ବରିଷ୍ଟ ବୁଦ୍ଧିଜୀବୀଙ୍କ ମିଳିତ ସମାବେଶ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦାଶଙ୍କ ଆବାହକତ୍ୱରେ ଆୟୋଜିତ ପ୍ରେସ ଦିବସର ଅନୁଚିନ୍ତା ଏବଂ ସାମ୍ବାଦିକଙ୍କ ସମସ୍ୟା ଓ ସାମାଜିକ ସୁରକ୍ଷାକୁ ନେଇ କରାଯାଇଥିବା ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ସାମ୍ବାଦିକ , କ୍ଷୁଦ୍ର ଓ ମଧ୍ୟମ ବର୍ଗ ସମ୍ବାଦପତ୍ର ସଂଘ ସଭାପତି ତଥା ସାପ୍ତାହିକ ଓଡ଼ିଆ ସମ୍ବାଦ ପତ୍ର ‘ ନବୀନ ‘ ର ସମ୍ପାଦକ ଶ୍ରୀ ରବି ରଥ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ‘ ପରିବର୍ତ୍ତନ ‘ ଖବର କାଗଜ ସମ୍ପାଦକ ଶ୍ରୀ ରମାକାନ୍ତ ପରିଜା ଏବଂ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅଜୟ କୁମାର ଦାସ ଯୋଗଦେଇ ସାଂପ୍ରତିକ ସମୟର ଗଣତାନ୍ତ୍ରିକ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବିକଳ ଚିତ୍ରରେ ପ୍ରତିନିଧିଙ୍କ ଭୂମିକାକୁ ନେଇ ନିଜନିଜ ଓଜସ୍ଵିନୀ ଅଭିବ୍ୟକ୍ତି ରଖିଥିଲେ । ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ଲାଘବ କରିବାକୁ ଥିବା ଗଣ ମାଧ୍ୟମ ଗୁଡ଼ିକ ସମ୍ପ୍ରତି ସରକାରୀ ଭାଟ୍ଟ ସାଜୁ ଥିବା କାରଣରୁ ସମ୍ବାଦପତ୍ର କ୍ଷେତ୍ରକୁ ଶିଳ୍ପରେ ପରିଣତ କରି କର୍ପୋରେଟଙ୍କୁ ସ୍ଵାଗତ କରିବା ଆଗାମୀ ଦିନର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିକଟ ଚିତ୍ର ପ୍ରଦାନ କରିବା ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ପ୍ରଶାସନିକ ଓ ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କ ମାଲିକାନାରେ ଥିବା ପ୍ରମୁଖ ସମ୍ବାଦ ପତ୍ର ନିଜର ସ୍ବାର୍ଥ ହାସଲ ପାଇଁ ଗଣମାଧ୍ୟମକୁ ଉପଯୋଗ କରୁଥିବାରୁ ଚତୁର୍ଥ ସ୍ଥମ୍ଭ କଳୁଷିତ ହେବା ସହ ସାମ୍ବାଦିକଙ୍କ ସମସ୍ୟା ଓ ସାମାଜିକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ଏହି ସମସ୍ୟାର ସମାଧାନ ନେଇ ସଘିୟ ବ୍ୟବସ୍ଥାର ବିକଳ୍ପ ରାସ୍ତା ଆପଣାଇବାକୁ ବର୍ଷୀୟାନ ସାମ୍ବାଦିକ ରବି ରଥ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ୱାନିତ କରିଥିଲେ । ସମାଜର ସର୍ବନିମ୍ନ ବର୍ଗଙ୍କ ଠାରେ ଥିବା ସସ୍ୟାର ସମାଧାନ ଦିଗରେ ସାମ୍ବାଦିକଙ୍କ ଭୂମିକା ରହୁଥିବାରୁ କର୍ମଜୀବୀ ସାମ୍ବାଦିକ ହିସାବରେ ଏହି ବର୍ଗଙ୍କ ହିତରେ ସର୍ବଦା କାମ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟ କ୍ରମରେ ପ୍ରେସ କ୍ଲବ ଦ୍ଵାରା ଆହୂତ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀ ଜନପ୍ରତିନିଧି ମିଳିତ ସମାବେଶରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀ ସିମାଞ୍ଚଳ ପାତ୍ର ପୌରହିତ୍ୟ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡଃ ଶ୍ରୀନିବାସ ବେହେରା , ମୁଖ୍ୟ ବକ୍ତା ଭାବେ ପାଟପୁର ଥାନା ଭରପ୍ରାପ୍ତ ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ ମଞ୍ଚାଷୀନ ରହି ଉପସ୍ଥିତ ବୁଦ୍ଧିଜୀବୀ ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସମନ୍ଵୟକୁ ଗୁରୁତ୍ୱାରୋପ କରିଥିଲେ । ପ୍ରଶାସନ ସହ ଜନ ପ୍ରତିନିଧିଙ୍କ ମୌଳିକ ସମସ୍ୟାର ସମାଧାନରେ ଗଣମାଧ୍ୟମର ସମୟ ଉପଯୋଗୀ ଖବର ପ୍ରସାରଣ ଗୁରୁତ୍ଵ ରଖିଥିବାରୁ ପ୍ରକୃଷ୍ଟ ତଥ୍ୟ ଭିତ୍ତିକ ଖବର ପ୍ରସାରଣର ମହତ୍ତ୍ୱକୁ ଅବତାରଣା କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଲୋକକଳା କଳାକାର ସଂଘ ସଭାପତି ତଥା ବରିଷ୍ଠ ଲୋକକଳା କଳାକାର ସନ୍ତୋଷ କୁମାର ପାଢ଼ୀ ନିଜ ବକ୍ତବ୍ୟରେ ପ୍ରେସ କ୍ଲବ ସଦସ୍ୟଙ୍କ ଦ୍ଵାରା ଆୟୋଜିତ ଆଜିର କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟକୁ ନେଇ ସାଧୁବାଦ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ପ୍ରତିନିଧି ସଞ୍ଜୟ କୁମାର ନାହାକ , ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ , ଅମିନ ପ୍ରଧାନ , ଶଙ୍କର୍ଷଣ ସ୍ୱାଇଁ , ରାଜୀବ ପାତ୍ର ପ୍ରମୁଖଙ୍କ ସହ ବହୁ ସରପଞ୍ଚ ,ସମିତି ସଭ୍ୟଙ୍କ ସହ ଶତାଧିକ ଅଞ୍ଚଳ ବୁଦ୍ଧିଜୀବୀ ଉପସ୍ଥିତ ରହି ଆୟୋଜିତ ଆଜିର କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ବରିଷ୍ଟ ସାମ୍ବାଦିକ ସନ୍ତୋଷ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ପଦ୍ମଲୋଚନ ପାଣିଗ୍ରାହୀ , ବିଜୟ କୁମାର ପ୍ରଧାନ , ପ୍ରଫୁଲ୍ଲ ସାବତ , ଅଶୋକ କୁମାର ସାହୁ , ଆରତ କୁମାର ହୋତା , ଶିବ ଶଙ୍କର ସ୍ୱାଇଁ , ରଘୁନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହ ପରିଚାଳନା କରିଥିଲେ ।